
ରାଜ୍ୟରେ ୫ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ବିକ୍ରିକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ବିଭାଗ କହିଛି ଯେ, ଶ୍ରମିକ ଓ ଛାତ୍ରଛାତ୍ରୀମାନେ ସହଜରେ ୫ କେଜି ଗ୍ୟାସ୍ ସିଲିଣ୍ଡର କିଣି ପାରିବେ ଏବଂ ସେମାନଙ୍କ ପାଇଁ କୌଣସି କଟକଣା ଲାଗୁ ହେବ ନାହିଁ।
ଏହି ବର୍ଗର ଲୋକମାନେ କେବଳ ପରିଚୟ ପତ୍ର (ID proof) ଦେଖାଇଲେ ୫ କେଜି ସିଲିଣ୍ଡର ପାଇପାରିବେ। ଏହା ସହିତ ଇ-କେୱାଇସି (e-KYC) ମାଧ୍ୟମରେ ବିକ୍ରି ହେଉଥିବା ୫ କେଜି ଘରୋଇ ସିଲିଣ୍ଡର ଉପରେ ମଧ୍ୟ କୌଣସି ନିଷେଧ ନଥିବା ସ୍ପଷ୍ଟ କରାଯାଇଛି। ତୈଳ ମାର୍କେଟିଂ କମ୍ପାନୀ (OMCs) ଦ୍ୱାରା ବିକ୍ରି ହେଉଥିବା ସିଲିଣ୍ଡରକୁ ଉପଭୋକ୍ତାମାନେ ସରଳ ପ୍ରକ୍ରିୟାରେ କିଣି ପାରିବେ।
ତେବେ, ଅନ୍ୟପଟେ ରାଜ୍ୟ ସରକାର ଅବୈଧ ଓ ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଡା ନିୟନ୍ତ୍ରଣ ଲାଗୁ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂର୍ବରୁ କହିଥିଲେ ଯେ, ଏଣିକି ଆଉ ଖୋଲା ବଜାରରେ ୫ କେଜି ଗ୍ୟାସ୍ ଟାଙ୍କି ବିକ୍ରି ହେବ ନାହିଁ। ଅନଧିକୃତ ଭାବେ ଗ୍ୟାସ୍ ଭର୍ତ୍ତି କରିବା ଓ ବିକ୍ରି କରିବାକୁ ପୁରାପୁରି ନିଷେଧ କରାଯାଇଛି। ଏହାର ପଛରେ ମୁଖ୍ୟ କାରଣ ହେଉଛି କଳାବଜାରକୁ ରୋକିବା ଓ ଘରୋଇ ଗ୍ୟାସ୍ର ଅବୈଧ ବ୍ୟବହାରକୁ ନିୟନ୍ତ୍ରଣ କରିବା।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ କେବଳ ଲାଇସେନ୍ସପ୍ରାପ୍ତ ଏଜେନ୍ସି ଓ ଅନୁମୋଦିତ ଦୋକାନୀମାନେ ଗ୍ୟାସ୍ ବିକ୍ରି କରିପାରିବେ। ଏହା ସହିତ ଉପଭୋକ୍ତାଙ୍କ ପାଇଁ ଇ-କେୱାଇସି କରିବାକୁ ଅନିବାର୍ୟ କରାଯାଇଛି। ଇ-କେୱାଇସି ନଥିଲେ ଗ୍ୟାସ୍ ସିଲିଣ୍ଡର ପାଇବାରେ ସମସ୍ୟା ହୋଇପାରେ।
ଇ-କେୱାଇସି ପ୍ରଣାଳୀ ମାଧ୍ୟମରେ ନକଲି ଓ ଅନିୟମିତ ଗ୍ୟାସ୍ ସଂଯୋଗକୁ ଚିହ୍ନଟ କରିବା ସହଜ ହେବ। ଏକ ଲୋକଙ୍କ ନାମରେ ଥିବା ଅଧିକ ସଂଯୋଗ ଓ ମୃତ ବ୍ୟକ୍ତିଙ୍କ ନାମରେ ଚାଲୁଥିବା ସଂଯୋଗକୁ ବନ୍ଦ କରାଯିବ। ଏହା ଦ୍ୱାରା ଯୋଗ୍ୟ ଉପଭୋକ୍ତାମାନେ ମାତ୍ର ସରକାରୀ ରିଆତିର ଲାଭ ପାଇପାରିବେ।
ସରକାରଙ୍କ ଏହି ପଦକ୍ଷେପ ଫଳରେ ଗ୍ୟାସ୍ ବଣ୍ଟନ ପ୍ରଣାଳୀରେ ପାରଦର୍ଶିତା ବଢ଼ିବା ସହିତ କଳାବଜାର ଓ ଅନିୟମିତତା ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି।



