
ବିଜୟୱାଡ଼ା: ଅନଲାଇନ୍ ମାଧ୍ୟମରେ ଯୁବକଙ୍କୁ ଚରମପନ୍ଥୀ ଚିନ୍ତାଧାରା ଆଡ଼କୁ ନେବା ଅଭିଯୋଗ ଥିବା ଏକ ମାମଲାରେ ୯ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)। ବିଜୟୱାଡ଼ାର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି।
ଏନ୍ଆଇଏ ଅନୁସାରେ, ମହମ୍ମଦ ରେହମତୁଲ୍ଲା ସରିଫ୍, ମହମ୍ମଦ ଦାନିଶ୍, ମିର୍ଜା ସୋହେଲ ବେଗ୍, ଲକି ଅହମଦ, ଜିଶାନ୍ ଅବଦୁଲ ମଜିଦ୍, ମିର୍ ଆଶିଫ ଅଲ୍ଲୀ, ଅବଦୁଲ ସଲାମ୍, ଶାରୁକ ଖାନ୍ ଓ ଶେଖ୍ ଫୈଜ୍ ଉର୍ ରେହମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ହୋଇଛି। ଏନ୍ଆଇଏ ଅଭିଯୋଗ ଅନୁସାରେ, ସେମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ସଦସ୍ୟ କିମ୍ବା ସମର୍ଥକ।
୨୦୨୬ ମାର୍ଚ୍ଚ ୨୩ରେ ବିଜୟୱାଡ଼ା ଦ୍ୱିତୀୟ ଟାଉନ୍ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ତଦନ୍ତରେ ଏପର୍ଯ୍ୟନ୍ତ ୧୧ ଜଣ ଅଭିଯୁକ୍ତ ଏବଂ ଜଣେ ଆଇନ ସହ ସଂଘର୍ଷରତ ନାବାଳକଙ୍କୁ ଗିରଫ କରାଯାଇଛି।
ଏନ୍ଆଇଏର ଦାବି ଅନୁସାରେ, ଅଭିଯୁକ୍ତମାନେ ଇନ୍ଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ ମାଧ୍ୟମରେ ଯୁବକଙ୍କୁ ପ୍ରଭାବିତ ଓ ଚରମପନ୍ଥୀ କରି ହିଂସାତ୍ମକ ଆତଙ୍କବାଦୀ କାର୍ଯ୍ୟରେ ସାମିଲ କରିବାକୁ ଯୋଜନା କରିଥିଲେ। ବିସ୍ଫୋରକ ପ୍ରସ୍ତୁତି, ଅସ୍ତ୍ର ତାଲିମ ଏବଂ ଗୋପନୀୟ ଯୋଗାଯୋଗ ପାଇଁ ସୁରକ୍ଷିତ ଆପ୍ ବିକାଶ ଓ ପରୀକ୍ଷଣ କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା ଏନ୍ଆଇଏ କହିଛି। ଅନ୍ୟ ଅଭିଯୁକ୍ତ ଓ ସନ୍ଦିଗ୍ଧଙ୍କ ବିରୋଧରେ ତଦନ୍ତ ଜାରି ରହିଛି।



