Breaking PLUSଦେଶମୁଖ୍ୟ ଖବର

କେଜ୍ରିୱାଲଙ୍କ ସମେତ ପରିବାରର ୫ ଜଣଙ୍କୁ SIR ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀର ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (SIR) ପ୍ରକ୍ରିୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ନୋଟିସ୍ ଜାରି ହୋଇଛି। ‘ପୂର୍ବ SIR ସହ ମ୍ୟାପିଂ ହୋଇନଥିବା’ ବର୍ଗରେ ଏହି ନୋଟିସ୍ ଦିଆଯାଇଛି।
ନୋଟିସ୍ ପାଇଥିବା ଅନ୍ୟମାନେ ହେଲେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, ୨୫ ବର୍ଷୀୟ ପୁଅ ପୁଲକିତ, ବାପା ଗୋବିନ୍ଦ ରାମ ଓ ମା’ ଗୀତା ଦେବୀ। ନୂଆଦିଲ୍ଲୀ ବିଧାନସଭା ଆସନର ଏକ ନିର୍ଦ୍ଦିଷ୍ଟ ଭାଗରେ ନୋଟିସ୍ ପାଇଥିବା ୧୧୦ ଜଣ ଭୋଟରଙ୍କ ମଧ୍ୟରେ ଏହି ପାଞ୍ଚଜଣ ଅଛନ୍ତି।
SIRରେ ବର୍ତ୍ତମାନର ଭୋଟର ତଥ୍ୟ ପୂର୍ବ SIR ରେକର୍ଡ ସହ ମେଳ ନହେଲେ ସମ୍ପୃକ୍ତ ଭୋଟରଙ୍କୁ ଦଲିଲ ଦାଖଲ କରି ନିଜ ଯୋଗ୍ୟତା ଓ ଭୋଟର ଏଣ୍ଟ୍ରି ଯାଞ୍ଚ କରାଇବାକୁ ପଡ଼େ। ଏହା ବ୍ୟାପକ ଯାଞ୍ଚ ପ୍ରକ୍ରିୟାର ଅଂଶ ବୋଲି ନିର୍ବାଚନ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀର ପ୍ରାୟ ୩୩.୧୩ ଲକ୍ଷ ଭୋଟରଙ୍କ ତଥ୍ୟ ଯାଞ୍ଚ ପାଇଁ ଚିହ୍ନଟ ହୋଇଛି।ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଭୋଟର ଏଣ୍ଟ୍ରି ମଧ୍ୟ ଯାଞ୍ଚ ହୋଇଥିଲା। ଦଲିଲ ଯାଞ୍ଚ ପରେ ତାଙ୍କ ଏଣ୍ଟ୍ରି ବୈଧ ବୋଲି ନିଶ୍ଚିତ ହୋଇଛି ଏବଂ ନଭେମ୍ବର ୪ରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ତାଙ୍କ ନାମ ରହିବ।
କେଜ୍ରିୱାଲ ପରିବାରକୁ ନୋଟିସ୍ ନେଇ ଆପ୍ ପ୍ରଶ୍ନ ଉଠାଇଛି। ତେବେ ନୋଟିସ୍ ଜାରି ହେବା ମାତ୍ରେ ଭୋଟର ତାଲିକାରୁ ନାମ ବାଦ ପଡ଼ିବା ବୁଝାଏ ନାହିଁ; ଦଲିଲ ଯାଞ୍ଚ ଓ ଦାବି-ଆପତ୍ତି ପ୍ରକ୍ରିୟା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

Show More

Related Articles

Back to top button