ପୁରୀରେ ବେଆଇନ ବାଣ ତିଆରି ଓ ମହଜୁଦ ଅଭିଯୋଗରେ ଜଣେ ଗିରଫ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାଇଘାଟା ଗାଁରେ ଘରେ ବେଆଇନ ଭାବେ ବାଣ ଓ ବିସ୍ଫୋରକ ସାମଗ୍ରୀ ତିଆରି କରି ମହଜୁଦ ରଖିବା ଅଭିଯୋଗରେ ୫୦ ବର୍ଷୀୟ ଶରତ ପଲାଇଙ୍କୁ ପୁଲିସ ଗିରଫ କରିଛି।
ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୁଲିସ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ବିସ୍ଫୋରକ ସାମଗ୍ରୀ, ବିଭିନ୍ନ ପ୍ରକାର ବାଣ ଓ ତିଆରି ଉପକରଣ ଜବତ କରିଛି।
ଜବତ ସାମଗ୍ରୀ ମଧ୍ୟରେ ୨୧.୬ କେଜି ସନ୍ଦିଗ୍ଧ ବିସ୍ଫୋରକ ଗୁଣ୍ଡ, ୩୬.୨ କେଜି ସ୍କାଏ ସଟ୍ରେ ବ୍ୟବହୃତ କେମିକାଲ୍ ବଲ୍, ୫.୨ କେଜି ସିଲଭର ଡଷ୍ଟ ଓ ଅନ୍ୟ ରାସାୟନିକ ପଦାର୍ଥ ରହିଛି। ଏଥିସହ ୧୧୭ଟି ସିଙ୍ଗଲ୍ ସ୍କାଏ ସଟ୍, ୨୯୨ଟି କୁମ୍କି (ଘଡ଼ି), ୧୯୬ଟି ସ୍କାଏ ସଟ୍ ବଲ୍, କାଗଜ ବାଣ ଏବଂ ବାଣ ତିଆରି ଯନ୍ତ୍ରପାତି ଜବତ ହୋଇଛି।
ଜବତ ବିସ୍ଫୋରକକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରିବା ପାଇଁ ବମ୍ ଡିସ୍ପୋଜାଲ୍ ଟିମ୍କୁ ସୂଚନା ଦିଆଯାଇଛି। ଏନେଇ ବ୍ରହ୍ମଗିରି ଥାନାରେ ନଭେମ୍ବର ୪, ୨୦୨୬ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଛି। ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିସ୍ଫୋରକ ସାମଗ୍ରୀ ସମ୍ପର୍କିତ ମାମଲା ରହିଥିବା ପୁଲିସ କହିଛି।



