Breaking PLUSଦେଶମୁଖ୍ୟ ଖବର
ରାହୁଲଙ୍କ ଗଡ଼ରେ ରାଜନାଥଙ୍କ ପଦଯାତ୍ରା

ଭୋପାଳ: କଂଗ୍ରେସ ବିରୋଧରେ ବିଜେପିର ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନକୁ ଜୋରଦାର କରିବାକୁ ବୁଧବାର ଭୋପାଳରେ ପଦଯାତ୍ରା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ଏହି ଅଭିଯାନ ଅଧୀନରେ ଇନ୍ଦୋର ଓ ଜବଲପୁର ପରେ ଭୋପାଳରେ ଏହା ତୃତୀୟ ବଡ଼ କାର୍ଯ୍ୟକ୍ରମ ହେବ। ନିର୍ବାଚନ କମିଶନ ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ କଂଗ୍ରେସର ସମାଲୋଚନାର ଜବାବ ଦେବାକୁ ବିଜେପି ଏହି ଅଭିଯାନ ଆରମ୍ଭ କରିଛି।
ମୁଖ୍ୟମନ୍ତ୍ରୀ ଯାଦବ ରାଜନାଥଙ୍କ ଗସ୍ତକୁ ସ୍ୱାଗତ କରିବା ସହ ପଦଯାତ୍ରାରେ ସେ ନେତୃତ୍ୱ ନେବେ ବୋଲି କହିଛନ୍ତି। ଏଥିରେ ରାଜ୍ୟର ବରିଷ୍ଠ ବିଜେପି ନେତା, କର୍ମୀ ଓ ସମର୍ଥକମାନେ ଯୋଗଦେବେ।
ବୁଧବାର ସକାଳ ୧୦ଟାରେ ଭୋପାଳର ଟିଟି ନଗରସ୍ଥିତ ଅଟଳ ପଥରୁ ପଦଯାତ୍ରା ଆରମ୍ଭ ହେବ। କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ୍ ଓ ପାର୍କିଂର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।



