Breaking PLUSଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଓଡ଼ିଶାର ବିଶିଷ୍ଟ ନ୍ୟୁରୋସର୍ଜନ ଡା. ଅଶୋକ ମହାପାତ୍ରଙ୍କ ଦେହାନ୍ତ

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ଡା. ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ୭୪ ବର୍ଷ ବୟସରେ ସୋମବାର ରାତି ୯ଟା ୧୫ ମିନିଟ୍‌ରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ରାଜ୍ୟର ଚିକିତ୍ସା ଓ ଶିକ୍ଷା ମହଲରେ ଶୋକର ଛାୟା ଖେଳିଯାଇଛି।

ମସ୍ତିଷ୍କଜନିତ ଗୁରୁତର ସମସ୍ୟାରେ ପୀଡ଼ିତ ଡା. ମହାପାତ୍ର ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ଜଣେ ଦକ୍ଷ ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ସେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ନୂଆଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ର ନିର୍ଦ୍ଦେଶକ ଥିଲେ। ୨୦୧୨ରୁ ୨୦୧୬ ମଧ୍ୟରେ ସେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଓ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୧୭ରେ ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅଲଗା କରିବା ପାଇଁ ହୋଇଥିବା ଜଟିଳ ଅସ୍ତ୍ରୋପଚାରରେ ସେ ନେତୃତ୍ୱ ନେଇଥିଲେ। ଚିକିତ୍ସା ବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ୨୦୨୪ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

ଡା. ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ଚିକିତ୍ସା ସେବା, ଗବେଷଣା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବଦାନ ଓଡ଼ିଶା ସମେତ ସମଗ୍ର ଦେଶ ପାଇଁ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

Show More

Related Articles

Back to top button