ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ୧.୧୭ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର: ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ପ୍ରାୟ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାକୁ ଯାଉଛି। ଏଥିପାଇଁ ମୋଟ ୧୧,୭୪୨ ମେଗାୱାଟ୍ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ୧୮ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଏହା ଓଡ଼ିଶାକୁ ସ୍ୱଚ୍ଛ ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆଗକୁ ବଢ଼ାଇବ।
ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ ରିନ୍ୟୁଏବଲ୍ ଏନର୍ଜି ସମିଟ୍ ଆଣ୍ଡ ଏକ୍ସପୋ-୨୦୨୬’ରେ ଏହି ଏମ୍ଓୟୁ ଆଦାନପ୍ରଦାନ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମିଳିତ ଭାବେ ଓଡ଼ିଶା ଓ ନେଦରଲ୍ୟାଣ୍ଡ ପାଭିଲିୟନ୍ର ଉଦ୍ଘାଟନ କରିଥିଲେ।
ଏହି ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକରେ ପମ୍ପଡ୍ ଷ୍ଟୋରେଜ୍, ସୌର ଓ ପବନ ଶକ୍ତି, ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପ, ବ୍ୟାଟେରି ଶକ୍ତି ସଂରକ୍ଷଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଡାଟା ସେଣ୍ଟର୍ ଭଳି କ୍ଷେତ୍ର ସାମିଲ ରହିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଅକ୍ଷୟ ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରିବ। ସମିଟ୍ରେ ପ୍ରଦର୍ଶିତ ଓଡ଼ିଶା ପାଭିଲିୟନ୍ ରାଜ୍ୟର ଅକ୍ଷୟ ଶକ୍ତି ସମ୍ଭାବନା, ରଣନୈତିକ ସୁବିଧା ଓ ପୁଞ୍ଜିନିବେଶ ସୁଯୋଗକୁ ଉପସ୍ଥାପନ କରିଛି।
ଏହି ଏମ୍ଓୟୁଗୁଡ଼ିକ ରାଜ୍ୟରେ ସ୍ୱଚ୍ଛ ଶକ୍ତି କ୍ଷେତ୍ର ପ୍ରତି ଶିଳ୍ପଜଗତର ବଢ଼ୁଥିବା ଆଗ୍ରହକୁ ପ୍ରତିଫଳିତ କରୁଛି।



