ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ଗିରଫ

ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିଛି ପୋଲିସ। ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍ଜେଲକୁ ପଠାଯାଇଛି।
ଏହି ମାମଲାର ଅନ୍ୟ ଅଭିଯୁକ୍ତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ମଧ୍ୟ ପୂର୍ବରୁ ଆତ୍ମସମର୍ପଣ କରି ଜେଲ୍ରେ ଅଛନ୍ତି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କୁ ପୋଲିସ ଗିରଫ କରିଥିଲା। ଉଭୟ ବର୍ତ୍ତମାନ ପାରଳାଖେମୁଣ୍ଡି ସବ୍ଜେଲ୍ରେ ଅଛନ୍ତି। ବିଦ୍ୟାଭାରତୀଙ୍କ ଗିରଫ ପରେ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩ ହୋଇଛି।
ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୧ରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସରକାରୀ ବାସଭବନରେ ରହୁଥିବା ସୌମ୍ୟରଞ୍ଜନ ରହସ୍ୟଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୩ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ, ତତ୍କାଳୀନ ଡିଏଫ୍ଓ ଓ ରୋଷେୟାଙ୍କ ସଂପୃକ୍ତି ଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।


