Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ଭୀଷଣ ବାତ୍ୟା ‘ମୁରାସୁ’ ଆନ୍ଧ୍ର ଉପକୂଳ ମୁହାଁ, ଦକ୍ଷିଣ ଓଡ଼ିଶାରେ ୨ ଦିନ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି। ଏହା ଘଣ୍ଟାପ୍ରତି ୨୦ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟାଟି ଏବେ ଚେନ୍ନାଇଠାରୁ ୨୬୦ କିମି, ନେଲୋରଠାରୁ ୨୯୦ କିମି ଓ ମଛଲିପଟନମ୍‌ଠାରୁ ୩୨୦ କିମି ଦୂରରେ ରହିଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର୍‌ ମଧ୍ୟରେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟାଟି ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବା ସହ ଝଟକା ପବନର ବେଗ ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ବର୍ତ୍ତମାନ ବାତ୍ୟାର କେନ୍ଦ୍ର ନିକଟରେ ପବନର ବେଗ ୯୦ରୁ ୧୦୦ କିମି ରହିଛି।

ବାତ୍ୟା ‘ମୁରାସୁ’ର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ତେବେ ଏହାର ପ୍ରଭାବ ବାତ୍ୟା ‘ଅର୍ଣ୍ଣବ’ ତୁଳନାରେ କମ୍ ରହିପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନଭେମ୍ବର ୩ ଓ ୪ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ।

ନଭେମ୍ବର ୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ୧୨ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି।

ସେହିପରି ନଭେମ୍ବର ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୧୨ରୁ ୨୦ ସେମି ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୫ ତାରିଖରୁ ବର୍ଷା କମିବ। ତେବେ କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

Show More

Related Articles

Back to top button