ରେଡ୍କ୍ରସ୍ ପାଣ୍ଠିରୁ ୮.୬୩ ଲକ୍ଷ ଆତ୍ମସାତ୍ ଅଭିଯୋଗ, ରାଜସ୍ୱ ସହାୟକ ଗିରଫ

ଗଞ୍ଜାମ ଜିଲ୍ଲାରେ ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ଜଣେ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଗିରଫ କର୍ମଚାରୀ ହେଉଛନ୍ତି ସଦାଶିବ ପ୍ରଧାନ। ସେ ପୂର୍ବରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସେ ସୋରଡ଼ା ତହସିଲ କାର୍ଯ୍ୟାଳୟରେ ନିଯୁକ୍ତ ଥିଲେ।
ଭିଜିଲାନ୍ସର ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବରରୁ ୨୦୨୫ ଅଗଷ୍ଟ ମଧ୍ୟରେ ରେଡ୍କ୍ରସ୍ ପାଣ୍ଠି ପାଇଁ ସଂଗୃହୀତ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ସେ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି।
ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ବିଭାଗ ପରିଚାଳନା ଦାୟିତ୍ୱରେ ଥିବା ସଦାଶିବ ସରକାରୀ ରସିଦ ବହି ଜରିଆରେ ଏହି ଅର୍ଥ ସଂଗ୍ରହ କରିଥିଲେ। ନିୟମ ଅନୁଯାୟୀ ଏହାକୁ ଛତ୍ରପୁରସ୍ଥିତ ଏସ୍ବିଆଇର ନିର୍ଦ୍ଧାରିତ ଖାତାରେ ଜମା କରିବାର ଥିଲା। କିନ୍ତୁ ଅର୍ଥ ଜମା ନକରି ବ୍ୟକ୍ତିଗତ ଭାବେ ବ୍ୟବହାର କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।
ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ପରେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।



