ପୁଣି ଥରେ ଡରାଇଲାଣି କରୋନା, ପୁଣେରେ ନାଇଟ୍ କର୍ଫ୍ୟୁ ଘୋଷଣା
କରୋନା ସଂକ୍ରମଣ ବଢୁଥିବାରୁ ଆଜିଠୁ ପୁଣେରେ ନାଇଟ୍ କର୍ଫ୍ୟୁ । ଆଜି ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତୀତ ଏହି ସମୟରେ ଅନ୍ୟ ସମସ୍ତ ଯାତାୟାତ ବନ୍ଦ ରହିବ । ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ସମାବେଶ ଉପରେ ମଧ୍ୟ କଟକଣା ଲାଗିଛି ।

କରୋନା ସଂକ୍ରମଣ ବଢୁଥିବାରୁ ଆଜିଠୁ ପୁଣେରେ ନାଇଟ୍ କର୍ଫ୍ୟୁ । ଆଜି ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତୀତ ଏହି ସମୟରେ ଅନ୍ୟ ସମସ୍ତ ଯାତାୟାତ ବନ୍ଦ ରହିବ । ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ସମାବେଶ ଉପରେ ମଧ୍ୟ କଟକଣା ଲାଗିଛି । ପୁଣେରେ ପୁଣି ବନ୍ଦ ହୋଇଛି ସ୍କୁଲ କଲେଜ । ଗତ ୧୫ ଦିନ ମଧ୍ୟରେ ୧୦ ପ୍ରତିଶତ ସଂକ୍ରମଣ ବଢ଼ିବା ପରେ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଛନ୍ତି ସରକାର । ମହାରାଷ୍ଟ୍ରରେ ସଂକ୍ରମଣ ବଢୁଥିବାରୁ ଅମରାବତୀ ଜିଲ୍ଲାର ଅମରାବତୀ ଓ ଅଚଲପୁର ସହରକୁ ୭ ଦିନ ପାଇଁ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି ।
ଏହା ସହିତ ଆକୋଲା, ବୁଲଧାନୀ, ଓ୍ଵାସିମ୍ ଓ ଯାବତମାଳା ଜିଲ୍ଲାରେ ଆଂଶିକ ଲକ୍ଡାଉନ୍ ଘୋଷଣା କରାଯାଇଛି । ସଂକ୍ରମଣ ବଢ଼ିଲେ ମହାରାଷ୍ଟ୍ରରେ ଲକ୍ଡାଉନ୍ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ମୁମ୍ବାଇ ପୋଲିସ କମିଶନର ଟ୍ଵିଟ୍ କରି କହିଛନ୍ତି, ଜୋରଦାର ହେବ ମାସ୍କ ଧରପଗଡ଼ । ଉଲଂଘନ କଲେ ଚାଲାଣ କାଟିବ ପୋଲିସ୍ । ମାସ୍କ ପିନ୍ଧିବାକୁ ମୁମ୍ବାଇବାସୀଙ୍କୁ ଅନୁରୋଧ କରିଛନ୍ତି । ସିଟ୍ ବେଲ୍ଟ ଓ ହେଲମେଟ୍ ପାଇଁ ଯେପରି ଚାଲାଣ କଟାଯାଉଛି, ଠିକ୍ ସେମିତି ମାସ୍କ ପାଇଁ ଚାଲାଣ କଟାଯିବ ବୋଲି କହିଛନ୍ତି । ଦେଶରେ ଚଳିତ ସପ୍ତାହରେ କରୋନା ସଂକ୍ରମଣର ୮୭ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ।
ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲାରୁ ୭୪ ପ୍ରତିଶତ କେବଳ ମହାରାଷ୍ଟ୍ର ଓ କେରଳରୁ ଆସୁଛି । ବିଭିନ୍ନ ରାଜ୍ୟରେ ସୁରକ୍ଷା ନିୟମାବଳୀକୁ ଗୁରୁତ୍ୱ ଦିଆଯାଉନଥିବାରୁ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି । ଆରଟିପିସିଆର ଟେଷ୍ଟ ବଢାଇବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ନୂତନ ପ୍ରଜାତିର ଭୂତାଣୁ ମାମଲା ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି ।