ନୀଳାଦ୍ରିବିଜେ

ଘୋଷ ଯାତ ପର୍ବ ଅନ୍ତ ନୀଳାଦ୍ରି ବିଜୟ
ବଡ଼ ଦାଣ୍ଡ ଭକ୍ତେ ରୁଣ୍ଡ ହୃଦୟ ଅଥୟ।
ଗୋଟି ପହଣ୍ଡିରେ ହଲି ଝୁଲି ନୀଳମଣି
ସିଂହଦ୍ଵାର ଦୁଲୁକୁଛି ଅପୂର୍ବ ରୋଷଣୀ।
ସୁସଜ୍ଜିତ ଟାହିଆରେ ପୂର୍ବ ନବ ଶୋଭା
ଚାମର ଆଲଟ ବାଦ୍ୟ ନୃତ୍ୟ ମନଲୋଭା।
ସଂସାର ଅଭୟ ଦାତା ଭୟରେ ଆତୁର
ତ୍ରିଭୁବନ ସମ୍ରାଟଙ୍କ ପତ୍ନୀ କୋପ ଡର।
କଥା ଦେଇଥିଲେ ହରି ହେରା ପଞ୍ଚମୀରେ
ତ୍ରୀଦିବସ ପରେ ଫେରି ଆସିବେ ମନ୍ଦିରେ।
ସିଂହଦ୍ଵାର ସମ୍ମୁଖରେ ସୁବର୍ଣ୍ଣର ବେଶ
ଅଧର ପଣା ପର୍ବରେ ଦୁଇଟି ଦିବସ।
ଅପେକ୍ଷାରତା କମଳା ରାଗ ବେଳୁ ବେଳ
ବୃଦ୍ଧି ହୁଏ ଚନ୍ଦ୍ର ଯେହ୍ନେ କ୍ରମେ ପକ୍ଷ ଶୁକ୍ଳ ।
ବିବାହର ଚାରିଦିନେ ଲକ୍ଷ୍ମୀ ନାରାୟଣ
ଭେଟ ନାହିଁ ମିଥ୍ୟା କହି ଗଲେ ଜନ୍ମସ୍ଥାନ
ଭ୍ରାତା ଭଗ୍ନୀ ସଙ୍ଗେଧରି କରିଲେ ବିହାର
ପୂର୍ବ ପ୍ରୀତି ହୃଦୟରେ ସ୍ମୃତି ଉଜାଗର।
ପଦ୍ମାଳୟା ରାଗ ରୋଷ ନୁହେଁ ଅକାରଣ
କପଟୀ କାଳିଆ ଛଳେ ସୃଜିଲେ ଭିଆଣ
ନବ ବିବାହିତା ପତ୍ନୀ ଛାଡ଼ି ଶ୍ରୀମନ୍ଦିରେ
ଭକ୍ତ ପ୍ରେମ ରାଧା ରାସ ଆକର୍ଷିତ କରେ
ଦେଢ଼ଶୁର ନଣନ୍ଦଙ୍କୁ ମନ୍ଦିର ପ୍ରବେଶ
କମଳିନୀ ଓଗାଳିଲେ ପଥ ଜଗଦୀଶ।
ଜୟ ବିଜୟ ଦ୍ଵାରରେ କୋପେ ଜରଜର
କଟୁ ବଚନ କହିଲେ ହୋଇ ଗରଗର।
“ଯାଇଥିଲ ଯେଣେ ଯାଅ” ମୁଖକୁ ନ ଚାହିଁ
ଅଭିମାନଭରେ ପଦ୍ମା ଶୋକାତୁର ହୋଇ।
ଉପରେ ଉପରେ ରାଗ ଅନ୍ତରରେ ପ୍ରେମ
ସର୍ଵଜ୍ଞାତ ଜଗନ୍ନାଥ ବୁଝାନ୍ତି ତତ୍କ୍ଷଣ।
ଦାମ୍ପତ୍ୟ ଜୀବନେ ଯଦି ନଥାନ୍ତା ବିରହ
ହୁଅନ୍ତା କି ପ୍ରୀତିପୂର୍ଣ୍ଣ ଅବା ମଧୁମୟ ?
ଭଲପାଇବାରେ ଥାଏ ରାଗ ଅଭିମାନ
ସମ୍ପର୍କ ସ୍ଵାଦ ନିବିଡ ପ୍ରୀତିର ବନ୍ଧନ।
ମିଠା ଖୋଇ ତୋଷ କଲେ ସାଗର ଦୁଲଣୀ
ଦୂରୁ ମୁରୁକି ହସନ୍ତି ଜ୍ୟେଷ୍ଠ ହଳପାଣି।
ମାନ ଭଞ୍ଜନ କରିଲେ ପ୍ରଭୁ ବନମାଳୀ
ପ୍ରେମେ ଗଦ ଗଦେ ଲକ୍ଷ୍ମୀ ଦେଲେ ଦ୍ଵାର ଖୋଲି।
ମନ୍ଦିର ପ୍ରବେଶ କଲେ ଥକ୍କା ଚକାଆଖି
ପରସ୍ପରେ ଆଲିଙ୍ଗନେ ଦେବଗଣ ସୁଖି।
ଚାହିଁଛି ମାର୍ଜନା ପୂତ ରତ୍ନ ସିଂହାସନ
ନୀଳଚକ୍ରେ ନବ ଧ୍ଵଜା କରୁଛି ଆହ୍ବାନ।
ଗୀତାଞ୍ଜଳି ଭୂୟାଁ, ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟା, ସରସ୍ୱତୀ ବିଦ୍ୟାମନ୍ଦିର, ସାଲେପୁର।