
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ‘ନିତି’ ଆୟୋଗ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବୈଠକରେ ଯୋଗ ଦେବେନାହିଁ। ଦ୍ୱିତୀୟ ଥର ପାଇଁ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ବିହାରରୁ ମଧ୍ୟ କୌଣସି ପ୍ରତିନିଧି ଏଥିରେ ସାମିଲ ହେବେନାହିଁ ବୋଲି ସୂଚନା ମିଳିଛି। ନୀତୀଶ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଏହି ବୈଠକକୁ ପଠାଇବାକୁ ଚାହୁଁଥିଲେ। କିନ୍ତୁ ପୂର୍ବରୁ ଏଥିରେ କେବଳ ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗଦେବାକୁ କୁହାଯାଇଥିଲା। ସୂଚନା ଅନୁଯାୟୀ ନୀତୀଶ ନିତି ଆୟୋଗ ବୈଠକରେ ଯୋଗ ଦେବାକୁ ଚାହୁଁନାହାନ୍ତି। ପୂର୍ବରୁ ଗତ ମାସରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭ୍ୟର୍ଥନାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରୁ ନୀତୀଶ ବିରତ ରହିଥିଲେ। ସେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଧ୍ୟ ଯୋଗ ଦେଇ ନ ଥିଲେ। ଏହାକୁ ନେଇ ଜେଡିୟୁ ଏବଂ ବିଜେପି ମଧ୍ୟରେ ସବୁ କିଛି ଠିକ୍ ନ ଥିବା କୁହାଯାଇଛି। ଦୁଇ ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି।