
ନୂଆଦିଲ୍ଲୀ: ଏଣିକି ଆଉ ରାଜଧାନୀରେ ଗଡିବନି ଡିଜେଲ କାର୍। କେବଳ ବିଏସ୍-୬ କାର୍କୁ ହିଁ ମିଳିବ ଅନୁମତି। ଲଗାତର ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁରୁଣା ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଏସ୍-୬ ମାନକ ତଳେ ଥିବା କାର୍ ଯଦି ଗଡେ ତେବେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏନେଇ ଦିଲ୍ଲୀ ପରିବହନ ବିଭାଗ ସୂଚନା ଦେଇଛନ୍ତି। ମେସେଜ ଜରିଆରେ କାର୍ ମାଲିକଙ୍କୁ ଏନେଇ ସୂଚିତ କରି ଦିଆଯାଇଛି। ପାଗ ଭଲ ନହେବା ପର୍ଯ୍ୟନ୍ତ ଭୁଲରେ ଏଭଳି ଯାନ ସହିତ ରାସ୍ତାରେ ଯାଆନ୍ତୁ ନାହିଁ ବୋଲି ସଚେତନ କରାଯାଇଛି। ଏହି ପରି ପରିବହନ ବିଭାଗ ପାଞ୍ଚ ଲକ୍ଷରୁ ଅଧିକ ଗାଡି ମାଲିକଙ୍କ ନିକଟକୁ ମେସେଜ ପଠାଯାଇଛି। ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରେ ପଞ୍ଜୀକୃତ ଯେତିକି ଗାଡି ଅଛି ତାହା ବିଏସ୍-୬ ମାନକ ପୂରଣ କରୁନାହିଁ। ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ଏପରି ସ୍ଥିତିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବିଏସ୍-୬ ଠାରୁ କମ୍ ମାନକ ଥିବା ସମସ୍ତ ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରାଯାଏ ତେବେ ଗାଡି ମାଲିକଙ୍କୁ ୨୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ ବୋଲି କୁହାଯାଇଛି। ଦିଲ୍ଲୀରେ ଲଗାତର ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଠାରେ ଗ୍ରୁପ୍-୪ ନିୟମ ଲାଗୁ କରିଛନ୍ତି। ଧୂଆଁ ବାହାରୁଥିବା ବିଭିନ୍ନ କାରଖାନା, କନ୍ଷ୍ଟ୍ରକସନ୍, ଜେନେରେଟ୍ ଆଦିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।