ଜୋକୋଭିକ୍ଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ

ନ୍ୟୁୟର୍କ : ସର୍ବିୟାର କିମ୍ବଦନ୍ତୀ ଟେନିସ ଖେଳାଳି ନୋଭାକ୍ ଜୋକୋଭିକ୍ ଚଳିତବର୍ଷର ୟୁଏସ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛନ୍ତି। ୩୬ ବର୍ଷ ବୟସ୍କ ଜୋକୋଭିକ୍ ରବିବାର ରାତିରେ ଅନୁଷ୍ଠିତ ପୁରୁଷ ଏକକ ଫାଇନାଲରେ ୬-୩, ୭-୬, ୬-୩ ସେଟ୍ରେ ୩ୟ ସିଡ୍ ରୁଷିଆର ଡାନିଲ ମେଡ୍ଭେଡେଭ୍ଙ୍କୁ ପରାସ୍ତ କରିଛନ୍ତି। ୨୦୨୧ରେ ଜୋକୋଭିକ୍ ୟୁଏସ୍ ଓପନ୍ ଫାଇନାଲରେ ମେଡ୍ଭେଡେଭ୍ଙ୍କଠାରୁ ପରାସ୍ତ ହୋଇଥିଲେ। ଏଥିସହ ସେ ଏହି ପରାଜୟର ପ୍ରତିଶୋଧ ନେଇଛନ୍ତି। ପୂର୍ବରୁ ଜୋକୋଭିକ୍ ସେମିଫାଇନାଲରେ ଆମେରିକାର ବେନ୍ ସେଲଟନଙ୍କୁ ୬-୩, ୬-୨, ୭-୬ ସେଟ୍ରେ ଓ କ୍ବାର୍ଟରରେ ଅନ୍ୟତମ ଆମେରିକୀୟ ଖେଳାଳି ୯ମ ସିଡ୍ ଟେଲର ଫ୍ରିଜ୍ଙ୍କୁ ୬-୧, ୬-୪, ୬-୪ ସେଟ୍ରେ ପରାସ୍ତ କରିଥିଲେ।
ଟପ୍ ସିଡ୍ କାର୍ଲୋସ୍ ଆଲ୍କାରାଜ୍ଙ୍କୁ ୩ୟ ସିଡ୍ ଡାନିଲ୍ ମେଡ୍ଭେଡେଭ୍ ସହଜରେ ପରାସ୍ତ କରିଥିଲେ ହେଁ ଜୋକୋଭିକ୍ଙ୍କ ଚମତ୍କାର ଖେଳ ନିକଟରେ ହାର ମାନିଛନ୍ତି। ଜୋକୋଭିକ୍ ପ୍ରଥମ ଓ ୩ୟ ସେଟ୍ରେ ସହଜରେ ବିଜୟୀ ହୋଇଥିବା ବେଳେ ୨ୟ ସେଟ୍ରେ ସଂଘର୍ଷ କରିଥିଲେ। ସିଧାସଳଖ ୩ଟି ସେଟ୍ରେ ବିଜୟୀ ହୋଇ ଜୋକୋଭିକ୍ ଜୀବନର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅର୍ଜନ କରିଛନ୍ତି। ଗ୍ରାଣ୍ଡସ୍ଲାମ ଜିତିବାରେ ଜୋକୋଭିକ୍ ପୁରୁଷ ଖେଳାଳିଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି। ତେବେ ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜୋକୋଭିକ୍ ଅଷ୍ଟ୍ରେଲୀୟ ମହିଳା କିମ୍ବଦନ୍ତୀ ଖେଳାଳି ମାର୍ଗାରେଟ୍ କୋର୍ଟଙ୍କ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ରେକର୍ଡର ସମକକ୍ଷ ହୋଇଛନ୍ତି।