ହେ ମୋ ପ୍ରାଣର ଦେବତା
କାଳିଆରେ ଯାଉଛି ତୋ ପାଶେ
ଉଚ୍ଛନ୍ନ ମୋହର ମନ
କେମିତି ସରିବ ଗନ୍ତବ୍ୟ ପଥ
କରିବି ତୋର ଦର୍ଶନ।
ତୋ ଆଖିରେ ମୋର ଆଖି ମିଶିଗଲେ
ଜୀବନ ହୋଇବ ଧନ୍ୟ
ଗରୁଡ଼ ସ୍ତମ୍ଭକୁ କୁଣ୍ଢାଇ ଧରି ମୁଁ
କରିବି ପୂଣ୍ୟ ଅର୍ଜ୍ଜନ।
ତୋ ଚକା ଆଖିକୁ ଚାହିଁ ଦୁଇ ଟୋପା
ଅଶ୍ରୁ ଦେଲେ ମୁଁ ଗଡ଼ାଇ
ହୃଦ ତଳେ ଥିବା ସବୁ ଦୁଃଖ ମୋର
ବହି ଯିବ ପାଣି ହୋଇ।
ତୋ ପାଇଁ ମନ ଯେତିକି ଉଚ୍ଚାଟ
ଆଉ କେଉଁ ଠାରେ ନାହିଁ
କି କିମିଆଁ କଲୁ କହରେ କାଳିଆ
ମନ ହୁଏ ହାଇଁ ପାଇଁ।
ଏମିତି ଭାବ ରଖିଥିବୁ ସଦା
ଶ୍ରୀକ୍ଷେତ୍ରେ ବୁଲେଇ ନେବୁ
ଥରେ ଦେଖିଦେଲେ ତୋ କଳା ବଦନ
ଭୁଲିଯିବି ଦୁଃଖ ସବୁ।
ନୁହେଁ ସାଲବେଗ ଦାସିଆ ବାଉରୀ
ମୁଁ ସାମାନ୍ୟ ଦାସୀ ଟିଏ
ତୋର ଗୁଣ ଗାଇ ଯାଉ ଏହି ପ୍ରାଣ
ଏତିକି ଅନ୍ତର ଚାହେଁ।
ଶ୍ରଦ୍ଧା ଭକ୍ତି ଛଡା ନାହିଁ ମୋ ସମ୍ବଳ
ତୋତେ ବା କଣ ଦେବି
ଜଗତର ଦାତା ଆହେ ଜଗନ୍ନାଥ
ପଦ ସେବା କରୁଥିବି।
ତୋର ଭାବ ଡୋରେ ବାନ୍ଧି ରଖିଥିବୁ
ଏତିକି ମାଗୁଣି ମୋର
ସବୁ ତ ଦେଇଛୁ ମନ ଜାଣି ଧନ
ତୁହି ତ ସଂସାରେ ସାର।
ବାଟ ଯେତେ ସରି ସରି ଆସୁଅଛି
ହୃଦେ ବଢେ ବ୍ୟାକୁଳତା
ଆଡ ନୟନରେ ଟିକେ ଚାହିଁଥିବୁ
ହେ ମୋ ପ୍ରାଣର ଦେବତା।