
ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ ଏଲଆଇସିର ଆଇପିଓ ପାଇଁ ନିବେଶକ ଅପେକ୍ଷାରେ ରହିଛନ୍ତି । ସରକାର କହିଛନ୍ତି ଆସନ୍ତା ମାର୍ଚ୍ଚରେ ଏଲଆଇସିର ଆଇପିଓ ବଜାରକୁ ଆସିବ। ଏହାରି ଭିତରେ ଶନିବାର ସଂଚାଳିତ ମାର୍ଗରେ ଏଲଆଇସିରେ ୨୦ ପ୍ରତିଶତ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେଇଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀର ପୁଞ୍ଜି ପ୍ରତ୍ୟାହାରରେ ସହଜ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି। ସରକାର ଏଲଆଇସିର ସେୟାରକୁ ଆଇପିଓ ଜରିଆରେ ବଜାରରେ ଲିଷ୍ଟିଂ କରିବାକୁ ମଞ୍ଜୁରୀ ଦେଇଛନ୍ତି।
ବିଦେଶୀ ନିବେଶକ ଏହି ମେଗା ଆଇପିଓରେ ଅଂଶଗ୍ରହଣ ପାଇଁ ଇଚ୍ଛୁକ ହୋଇପାରନ୍ତି। କିନ୍ତୁ ବର୍ତ୍ତମାନର ଏଫଡିଆଇ ନୀତି ଅନୁସାରେ ଏଲଆଇସିରେ ବିଦେଶୀ ନିବେଶର କୌଣସି ସ୍ୱତନ୍ତ୍ର ପ୍ରବଧାନ ନାହିଁ, ବର୍ତ୍ତମାନର ଏଫଡିଆଇର ନୀତି ଅନୁସାରେ ସରକାରୀ ଅନୁମୋଦିତ ମାର୍ଗରେ ବ୍ୟାଙ୍କ ଗୁଡିକରେ ବିଦେଶୀ ପୁଞ୍ଜି ନିବେଶ ସୀମା ୨୦ ପ୍ରତିଶତ ରହିଛି। ଏହି କାରଣରୁ ଏଲଆଇସି ଏବଂ ଏହିପରି ଅନ୍ୟ କର୍ପୋରେଟ ସଂସ୍ଥାରେ ୨୦ ପ୍ରତିଶତ ଯାଏଁ ବିଦେଶୀ ନିବେଶକୁ ମଞ୍ଜୁରୀ ଦେବାକୁ ନିଷ୍ପତ୍ତି ନିଆଯାଇଛି।