ଜନତାଙ୍କ ଉପରେ ରିଫାଇନ୍ ଓ ସୋରିଷ ତେଲର ମାହାଙ୍ଗା ମାଡ
ରିଫାଇନ୍ ଓ ସୋରିଷ ତେଲ ଦାମ୍ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ମାସରେ ତେଲ ଦାମ ୫୦ ରୁ ୮୦ ପ୍ରତିଶତ ବୃଦ୍ଧି ପାଇଛି। ପନିପରିବା ଓ ଡାଲି ସହ ଖାଇବା ତେଲ ଦାମ୍ ବୃଦ୍ଧି ଯୋଗୁଁ ରୋଷେଇ ବଜେଟ ବିଗିଡି ଯାଇଛି। କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ପାମ ଅଏଲ ଆମଦାନୀ ଶୁଳ୍କ ୧୦ ପ୍ରତିଶତ କମ୍ କରିଥିଲେ

ବିଦେଶରେ ପାଣିପାଗ ଖରାପ ହେବା ଯୋଗୁଁ ଫସଲ ନଷ୍ଟ ହେବାରୁ ଏବଂ ଦେଶରେ ସମ୍ମିଶ୍ରଣ ବନ୍ଦ ହେବା କାରଣରୁ ତେଲ ଦାମ୍ ବୃଦ୍ଧି ପାଇଛି।ଏକ ଲିଟର ତେଲ ପ୍ୟାକେଟ ଅଧିକ ମହଙ୍ଗା ହୋଇଛି। ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠକ୍କର କହିଛନ୍ତି ଯେ, ଆର୍ଜେଣ୍ଟିନା ଓ ବ୍ରାଜିଲରେ ମରୁଡି ପଡିବାରୁ ସୋୟାବିନ୍ ଫସଲ ପ୍ରଭାବିତ ହୋଇଛି। ଫଳରେ ସୋୟାବିନ୍ ମହଙ୍ଗା ହୋଇଯାଇଛି। ଅପରପକ୍ଷରେ ଇଣ୍ଡୋନେସିଆ ଓ ମାଲେସିୟାରେ ମଧ୍ୟ ପାମୋଲିନ ଫସଲ ନଷ୍ଟ ହୋଇଯାଇଛି। ଏପଟେ ଦେଶରେ ପାମୋଲିନ୍ ରିଫାଇନାରୀ ବହୁତ କମ୍ ଅଛି। କେବଳ ମହାରାଷ୍ଟ୍ରରେ ହିଁ ଦୁଇଟି ରିଫାଇନାରୀ ଅଛି। ଯାହାଫଳରେ ଚାହିଦା ପୁରା କରିବା ଅସମ୍ଭବ ହୋଇଛି।
ଏପଟେ ଦେଶରେ ଅଦି ନିଆ ବର୍ଷା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠକ୍କରଙ୍କ କହିବାନୁସାରେ, ୧୫ ଲିଟର ବିଶିଷ୍ଟ ପାମ ତେଲ ଟିଣ ୧୨୦୦ ରୁ ୧୭୫୦ ଟଙ୍କା ହୋଇଛି। ସୂର୍ଯ୍ୟମୁଖୀ ତେଲ ୧୫୦୦ ରୁ ୧୯୫୦ ଟଙ୍କା ହୋଇଛି। ସୋରିଷ ତେଲ ଟିଣ ୧୭୫୦ ରୁ ୨୨୫୦ ଟଙ୍କା ହୋଇଥିବାବେଳେ ବାଦାମ ତେଲ ୧୭୫୦ ରୁ ୨୨୦୦ ଟଙ୍କା ହୋଇଛି। ଏକ ଲିଟର ପାମ ତେଲ ପ୍ୟାକେଟ ୭୫ ରୁ ୧୧୦ ଟଙ୍କା ହୋଇଥିବାବେଳେ ଏକ ଲିଟର ସୂର୍ଯ୍ୟମୁଖୀ ତେଲ ପ୍ୟାକେଟ ୯୮ ରୁ ୧୩୦ ଟଙ୍କା ହୋଇଛି। ଏକ ଲିଟର ସୋରିଷ ତେଲ ପ୍ୟାକେଟ ୧୧୦ ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି। କିଛି ଖାସ ବ୍ରାଣ୍ଡର ତେଲ ଲିଟର ପ୍ରତି ୧୯୦ ଟଙ୍କାରେ ବିକ୍ରି ହେଉଛି। ବାଦାମ ତେଲ ଲିଟର ପ୍ରତି ୧୧୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି।