
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି, ଗୋଟିଏ ପଦ ନିୟମକୁ କଡ଼ାକଡ଼ି ଦଳ ଭିତରେ ପାଳନ କରିବାକୁ ସବୁବେଳେ କହି ଆସୁଥିବା କଂଗ୍ରେସ ଏବେ ତା’ର ଦୋମୁହାଁ ନୀତି ଦେଖାଇଛି। ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅନେକ ବଡ଼ବଡ଼ ନେତା ୱାନ ପର୍ସନ, ୱାନ ପୋଷ୍ଟ କଥାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ବାସ୍ତବରେ ଏହା ଏକ ଭେଳିକି। କାରଣ ନିଜ ନିୟମକୁ ନିଜେ କଂଗ୍ରେସ ଉଲ୍ଲଙ୍ଘନ କରୁଛି।
ମଲ୍ଲିକାର୍ଜୁନ ଖାଡଗେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ସେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବେ ପୂର୍ବଭଳି କାମ କରିବେ। କାରଣ କଂଗ୍ରେସ ଏଯାଏ ଖାଡଗେଙ୍କ ବଦଳରେ କିଏ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବେ ତାଙ୍କ ନାଁ ଘୋଷଣା କରିନି ଦଳ।
ଯଦି ଖାଡଗେ ଦୁଇଟି ପଦରେ ରହିବେ, ତା’ହେଲେ କଂଗ୍ରେସର ୱାନ ପର୍ସନ, ୱାନ ପୋଷ୍ଟ ନୀତିର ଖୋଲାଖୋଲି ଉଲ୍ଲଙ୍ଘନ ହେବ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ଷେତ୍ରରେ ସମାନ ନୀତି ଲାଗୁ କରାଯାଇଥିଲା।
ସେ ମୁଖ୍ୟମନ୍ତ୍ରୀ ସହ କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଚାହିଁଥିଲେ। ହେଲେ ସେତେବେଳେ ଦଳ ଭିତରୁ ଏହାକୁ ବିରୋଧ କରାଯାଇଥିଲା। ଖାସ ଏହି କାରଣ ପାଇଁ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ବଦଳରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ବେଶୀ ପସନ୍ଦ କରିଥିଲେ।
ଯଦି ଗେହଲଟଙ୍କ କ୍ଷେତ୍ରରେ ୱାନ ପର୍ସନ, ୱାନ ପୋଷ୍ଟ ନୀତି କାର୍ଯ୍ୟକାରୀ କରାଗଲା, ତା’ହେଲେ ଖାଡଗେଙ୍କୁ କେମିତି ଏଥିରୁ ବାଦ ଦିଆଯିବ ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଏସବୁ ଭିତରେ ସୋନିଆ ଗାନ୍ଧି କଂଗ୍ରେସର ସଂସଦୀୟ ଦଳ ବୈଠକ ଡାକିଛନ୍ତି। ଆସନ୍ତାକାଲି ସଂସଦରେ ଦଳର ରଣନୀତି କ’ଣ ରହିବ, ସେସମ୍ପର୍କରେ ସୋନିଆ ସାଂସଦଙ୍କ ସହ ଆଲୋଚନା କରିବେ। କିନ୍ତୁ ଏହି ବୈଠକରେ ରାଜ୍ୟସଭାରୁ କେବଳ ଖାଡଗେ, ଜୟରାମ ରମେଶ ଓ କେସି ଭେନୁଗୋପାଳଙ୍କୁ ଡକା ଯାଇଛି।
ଖାଡଗେ କଂଗ୍ରେସ ଅଧ୍ୟକ୍ଷ ହୋଇଥିବାରୁ ବରିଷ୍ଠ ନେତା ଦିଗବିଜୟ ସିଂହ ଓ ପି ଚିଦାମ୍ବରମଙ୍କ ମଧ୍ୟରୁ ଜଣେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ଉଭୟଙ୍କୁ ସୋନିଆ ଗାନ୍ଧି ଆସନ୍ତାକାଲିର ବୈଠକକୁ ଡାକି ନାହାନ୍ତି।
ଅନ୍ୟପକ୍ଷରେ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ଖାଡଗେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ହେଲେ ଏବେ ସେ ପୂର୍ବଭଳି ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବେ।
ଅତିକମରେ ସଂସଦର ଶୀତ ଅଧିବେଶନରେ ଖାଡଗେ ୱାନ ପର୍ସନ ଟୁ ପୋଷ୍ଟରେ ରହିବେ ବୋଲି ସୂଚନାମିଳିଛି। ଶୀତ ଅଧିବେଶ ପରେ ହିଁ କଂଗ୍ରେସ ତା’ର ସଂସଦୀୟ ଦଳରେ ପରିବର୍ତ୍ତନ କରିବ।