
ଦିନକୁ ଦିନ ଭୟଙ୍କର ହେଉଛି ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ । ଗତ କିଛିଦିନ ହେବ ରକ୍ତମୁଖା ସାଜିଛି ଋଷ । ୟୁକ୍ରେନ୍ ଆକାଶରେ ଘୂରି ବୁଲୁଛି ଋଷର ଆତ୍ମଘାତୀ ଡ୍ରୋନ୍ ।ରୁଷିଆର ଏହି ଡ୍ରୋନ୍ ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି ୟୁକ୍ରେନ୍ର ଏକତୃତୀୟାଂଶ ପାଓ୍ବାର ଷ୍ଟେଶନ । ଫଳରେ ୟୁକ୍ରେନ୍ର ଅନେକ ସହରକୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ଏଥିରେ ଲକ୍ଷାଧିକ ୟୁକ୍ରେନ୍ବାସୀ ପ୍ରଭାବିତ ହୋଇଛନ୍ତି। ଏହା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ଆଲୋଚନାର ସବୁ ବାଟ ବନ୍ଦ ହୋଇଯାଇଛି । ଏନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଟୁଇଟ୍ କରିଛନ୍ତି।
ବର୍ତ୍ତମାନ ୟୁକ୍ରେନ୍ ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଶୀତଋତୁ ଆସିଯାଇଛି। ଏପରି ସମୟରେ ୟୁକ୍ରେନୀୟମାନଙ୍କୁ ଜଳ, ଶକ୍ତି, ତାପଜ ବିଦ୍ୟୁତ୍ ଓ ଅନ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ କରିବା ପାଇଁ ପୁଟିନ୍ ଯେଉଁ ପନ୍ଥା ଆପଣାଇଛନ୍ତି ତାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ରୁଷିଆର ଡ୍ରୋନ୍ ଆକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଝିଟୋମିର। ରାଜଧାନୀ କିଭ୍ରୁ ୧୪୦ କି.ମି. ଦୂରରେ ଅବସ୍ଥିତ ଏହି ସବୁଜିମାପୂର୍ଣ୍ଣ ସହରରେ ଅନେକ ସେନା ଶିବିର, ଶିଳ୍ପ ରହିଛି, ଯାହାର ଜନସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ। କିଭ୍ରେ ୨ଟି ମିଶାଇଲ ମାଡ଼ ହୋଇଛି। ଏଥିରେ ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ ହେବା ସହ କେତେଜଣ ବ୍ୟକ୍ତି ନିହତ ହୋଇଛନ୍ତି। ଦକ୍ଷିଣ କେନ୍ଦ୍ରୀୟ ସହର ଡିନିପ୍ରୋର ଶକ୍ତି ପ୍ରକଳ୍ପ ମଧ୍ୟ ଧ୍ୱଂସ ହୋଇଯାଇଛି। ରୁଷିଆ ଦଖଲରେ ଥିବା ଜାପୋରିଝିଆର କେତେକ ଇନ୍ଫ୍ରାଷ୍ଟକ୍ଚରକୁ ମଧ୍ୟ ରୁଷୀୟ ସୈନ୍ୟ ଟାର୍ଗେଟ କରିଛନ୍ତି। ଏହି ସହରରେ ଥିବା ୟୁରୋପର ସବୁଠୁ ବଡ଼ ଆଣବିକ ଶକ୍ତି କେନ୍ଦ୍ରକୁ ରୁଷିଆ ଟାର୍ଗେଟ କଲେ ଏହା ହେବ ସବୁଠୁ ବିପଜ୍ଜନକ ଆକ୍ରମଣ। କାରଣ ଏଇଠୁ ନିର୍ଗତ ବିଷାକ୍ତ ଗ୍ୟାସ୍ କେବଳ ୟୁକ୍ରେନ୍ ନୁହେଁ, ବରଂ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ସଂଲଗ୍ନ ଅନେକ ପାଶ୍ଚାତ୍ୟ ଦେଶର ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ ସାଜିବ।
ଅନ୍ୟପଟେ ୟୁକ୍ରେନ୍ କହିଛି ଯେ, ରୁଷିଆ ଇରାନଠାରୁ ଲକ୍ଷାଧିକ ଡ୍ରୋନ୍ ନେଇଛି । ଇରାନ ନିର୍ମିତ ଶହୀଦ ଡ୍ରୋନ୍କୁ କିଭ୍ ସମେତ ଅନ୍ୟ ସହରଗୁଡ଼ିକରେ ରୁଷୀୟ ସୈନ୍ୟ ବ୍ୟବହାର କରୁଛନ୍ତି। ସେମାନଙ୍କୁ ତାଲିମ ଦେବା ପାଇଁ ଇରାନରୁ ବହୁ ସୈନ୍ୟ ରୁଷିଆ ସୀମାରେ ମୁତୟନ ହୋଇଛନ୍ତି। ବିଗତ ସପ୍ତାହେ ମଧ୍ୟରେ ଶତାଧିକ ଇରାନୀୟ ଡ୍ରୋନ୍କୁ ୟୁକ୍ରେନ୍ ବିରୋଧରେ ବ୍ୟବହାର କରିଛି ରୁଷିଆ। କେହି କେହି ଏହାକୁ କାମିକାଜି ଡ୍ରୋନ୍ କହୁଥିବାବେଳେ ଆଉ କେତେଜଣଙ୍କ ମତରେ ଏହାର ନାମ ଶହୀଦ। ଇରାନ ରୁଷିଆକୁ ଏଭଳି କୌଣସି ଡ୍ରୋନ୍ ଯୋଗାଇ ଦେଇନାହିଁ ବୋଲି ସ୍ପଷ୍ଟ କରିଛି।