
ତାପମାତ୍ରା ହ୍ରାସ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି । ବିଶେଷ କରି କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଥଣ୍ଡା ପଡିଲାଣି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ,ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ଯେଉଁଥିରେ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂପର୍କରେ ଆଲୋଚନା କରାଯାଇଛି ।
ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ପେନ୍ସନ ଯୋଜନା ଅନ୍ତର୍ଗତ ୪୮ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ଏହାସହିତ ଶୀତ ପ୍ରବାହ ସମୟରେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବରେ ନ ରୁହନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।