ଆଦିବାସୀଙ୍କୁ ଅନ୍ଧାରରେ ରଖି ଲୁଟ୍ କରିଛି କଂଗ୍ରେସ, ଏବେ ବିଭ୍ରାନ୍ତ କରି ଲୁଟ୍ କରିବାକୁ ପ୍ରସ୍ତୁତି- ପିଏମ ମୋଦି
ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଶିଭନୀରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସକୁ ନିଶାନା କରିବା ସହ କଂଗ୍ରେସ ଆଦିବାସୀଙ୍କୁ ଅରଦେଖା କରିଥିବା ଅଭିଯୋଗ କରିଛନ୍ତି । କଂଗ୍ରେସ ଜନଜାତି ସମାଜକୁ ଅନ୍ଧାରରେ ରଖି ଲୁଟିଥିଲା, ଏବେ ବିଭ୍ରାନ୍ତ କରି ଲୁଟିବାକୁ ଉଦ୍ୟମ କରୁଛି ବୋଲି ପିଏମ କହିଛନ୍ତି ।
ଏହି ଅବସରରେ ମଧ୍ୟପ୍ରଦେଶରେ ବିଜେପି କ୍ଷମତାକୁ ଫେରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏବଂ କଂଗ୍ରେସ ମଧ୍ୟ ଏହାକୁ ଭଲ ଭାବେ ଜାଣେ, କଂଗ୍ରେସ କେବଳ ନିର୍ବାଚନ ଲଢିବାର ଛଳନା କରୁଛି ବୋଲି ମୋଦି କହିଛନ୍ତି । କଂଗ୍ରେସ ଲକ୍ଷ୍ୟ ହେଉଛି କେବଳ ଚାନ୍ଦା ଏକାଠି କରିବା । ମୁଖ୍ୟମନ୍ତ୍ରୀ ପଦ ପାଇଁ ନୁହେଁ, ନିଜ ପୁଅକୁ ସେଟ୍ କରିବା ପାଇଁ ଲଢେଇ ହେଉଛି । କାହାର ପୁଅ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ କଂଗ୍ରେସର ଦୁଇ ବଡନେତା ମଧ୍ୟରେ ବିବାଦ ରହିଛି । ପରିବାରବାଦ ଉପରେ ହମ୍ଲା କରି ପିଏମ ମୋଦି କହିଛନ୍ତି ଯେ, ଉପଲବ୍ଧି ନାମରେ ଏଠାରେ କେବଳ ଜେଜେ-ଜେଜେ ମାଆ, ଆଈ, ଅଜାଙ୍କ ନାମ ଶୁଣିବାକୁ ମିଳୁଛି ।