ବେଙ୍ଗାଲୁରୁରେ ପିଏମ ମୋଦିଙ୍କ ସମ୍ବୋଧନ

ବେଙ୍ଗାଲୁରୁ- ଆଜି ବେଙ୍ଗାଲୁରୁରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ସପ୍ତାହ ତଳେ ଜଳ ସଙ୍କଟକୁ ନେଇ ବେଙ୍ଗାଲୁରୁ ଚର୍ଚ୍ଚାରେ ରହିଥିଲା। ସହରବାସୀ ବାଲତି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡି କରି ଛିଡା ହୋଇଥିଲେ। ଆଉ ଏହାକୁ ନେଇ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଟେକ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପାଲଟା ଆକ୍ରମଣ କରି କହିଛନ୍ତି ଯେ, ଯେତେବେଳେ ରାଜ୍ୟ ବନ୍ୟା ଓ ମରୁଡି ସଙ୍କଟ ଦେଇ ଗତି କରୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କେଉଁଠି ଥିଲେ।
ବେଙ୍ଗାଲୁରୁରେ ଥିବା ୪ଟି ଲୋକ ସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ତା’ ପୂର୍ବରୁ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ରାଜ୍ୟକୁ ଗ୍ରୀନ ଏନର୍ଜି ହବ୍, ଫାର୍ମା ହବ୍, ଇଲେକ୍ଟ୍ରୋନିକ୍ସ ହବ୍, ଇଲେକ୍ଟ୍ରିକାଲ ଭେଇକଲ ହବ୍, ସେମିକଣ୍ଡକ୍ଟର ହବ ଓ ଗ୍ଲୋବାଲ ଇନୋଭେସନ ହବ କରିବାକୁ ଚାହୁଁଛନ୍ତି। ଫଳରେ ଭାରତ ଗ୍ଲୋବାଲ ଇକୋନୋମୀ ହବ୍ରେ ପରିଣତ ହୋଇପାରିବ। କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତାମାନେ କହୁଛନ୍ତି ଯେ ସେମାନେ ମୋଦିଙ୍କୁ ହଟାଇ ଦେବେ।