ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ଆଜି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା’ ବା ‘ପିଏମ୍-ପୋଷଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଆଗାମୀ ୫ ବର୍ଷରେ ଉପରୋକ୍ତ ଯୋଜନାରେ ୧,୩୦,୭୯୫ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ସମ୍ପ୍ରତି ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ‘ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ’ ସ୍ଥାନରେ ‘ପିଏମ୍-ପୋଷଣ ଯୋଜନା’ ରେ ପରିବର୍ତ୍ତନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ୍ ଆଫେୟାର୍ସ’ (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସମଗ୍ର ଦେଶରେ ଥିବା ୧୧.୨ ଲକ୍ଷ ବିଦ୍ୟାଳୟରେ ୧ମ ରୁ ୮ମ ପର୍ଯ୍ୟନ୍ତ ନାମ ଲେଖାଇଥିବା ୧୧.୮ କୋଟି ଶିକ୍ଷାର୍ଥୀଙ୍କ ପାଇଁ ଏହି ଯୋଜନା ଲାଗୁ ହେବ । ଏ ସଂକ୍ରାନ୍ତ ବିବୃତିରେ ସରକାର କହିଛନ୍ତି, ୨୦୨୧-୨୨ ରୁ ୨୦୧୫-୨୬ ଅର୍ଥାତ୍ ୫ ବର୍ଷ ପର୍ଯ୍ୟନ୍ତ ଚାଲୁ ହେବାକୁ ଥିବା ଏହି ଯୋଜନା ନିମନ୍ତେ କେନ୍ଦ୍ର ସରକାର ୫୪୦୬୧.୭୩ କୋଟି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ୩୧୭୩୩.୧୭ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଖାଦ୍ୟଶସ୍ୟ ନିମନ୍ତେ କେନ୍ଦ୍ର ସରକାର ଅତିରିକ୍ତ ୪୫,୦୦୦ କୋଟି ଟଙ୍କା ବହନ କରିବେ । ତେଣୁ, ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ ହେଉଛି ୧୩୦୭୯୪.୯ କୋଟି ଟଙ୍କା ।
ଏହି ଯୋଜନାରେ କ’ଣ ଭୋଜନ ଦିଆଯିବ ତାହା କେନ୍ଦ୍ର ସରକାର ସ୍ଥିର କରିବେ ନାହିଁ; ରାଜ୍ୟମାନେ ନିଜ ଇଚ୍ଛାମତେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ସେମାନେ କହିଛନ୍ତି, ସ୍ଥାନୀୟ ପୋଷକତତ୍ତ୍ବ ସମ୍ବଳିତ ଭୋଜନ ସାମଗ୍ରୀ ସାମିଲ କରିବାକୁ ରାଜ୍ୟମାନଙ୍କୁ ଅନୁମତି ମିଳିବ । ପୂର୍ବରୁ ଏ ବ୍ୟବସ୍ଥା ନ ଥିଲା । ଆକାଙ୍କ୍ଷୀ ଜିଲ୍ଲା ଏବଂ ବହୁସଂଖ୍ୟକ ରକ୍ତହୀନତା ଦେଖାଯାଉଥିବା ଜିଲ୍ଲାଗୁଡ଼ିକରେ ପିଲାମାନଙ୍କୁ ଅତିରିକ୍ତ ପୋଷକତତ୍ତ୍ବ ଥିବା ଭୋଜନ ଯୋଗାଇ ଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଯୋଜନାରେ କୃଷକ ଓ ମହିଳା ସ୍ବୟଂ-ସହାୟକ ଗୋଷ୍ଠୀମାନଙ୍କର ସମ୍ପୃକ୍ତିକୁ ଉତ୍ସାହ ଦିଆଯିବ।
ଏହି ଯୋଜନା ଅଧୀନରେ ସମସ୍ତ ଜିଲ୍ଲା ପାଇଁ ‘ସୋସିଆଲ୍ ଅଡିଟ୍’ ବାଧ୍ୟତାମୂଳକ କରାଯାଇଛି । ପ୍ରତି ୫ ବର୍ଷରେ ଥରେ ଏହି ଯୋଜନା ନବିକରଣ କରାଯିବ ବୋଲି ସେମାନେ କହିଛନ୍ତି ।