OSSC ପ୍ରଶ୍ନପତ୍ର ଲିକ୍ ମାମଲା, ଆଉ 2 ଅଭିଯୁକ୍ତ ଗିରଫ
ଏଯାଏ 27ଜଣଙ୍କୁ ଗିରଫ କରିଛି ପୋଲିସ
ଓଏସ୍ଏସ୍ସି କନିଷ୍ଠ ଯନ୍ତ୍ରୀ ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ପୁଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୀ ଅଞ୍ଚଳର ସଦାଶିବ ପ୍ରଧାନ ଓ ପଶ୍ଚିମବଙ୍ଗର ପାର୍ଥ ସେନ୍ଗୁପ୍ତ । ଏହି ଦୁଇଜଣଙ୍କୁ ମିଶାଇ ପୁଲିସ ମୋଟ୍ ୨୭ ଜଣଙ୍କୁ ଗିରଫ କରିସାରିଲାଣି।
ଅଭିଯୁକ୍ତ ପାର୍ଥ ସେନ୍ଗୁପ୍ତ ଜଣେ ଶ୍ରମିକ ଠିକାଦାର। ସେ ପ୍ରଶ୍ନପତ୍ର ମୁଦ୍ରଣ ହୋଇଥିବା ପ୍ରିଣ୍ଟିଂ ପ୍ରେସ୍କୁ ଠିକା ଶ୍ରମିକ ଯୋଗାଇଥିଲେ। ଉକ୍ତ ଶ୍ରମିକଙ୍କ ଜରିଆରେ ପ୍ରଶ୍ନପତ୍ର ଅଭିଯୁକ୍ତ ବିରେନ୍ଦ୍ର କୁମାର ପାଖକୁ ଆସିଥିଲା। ବିରେନ୍ଦ୍ର ବିହାର ରାଜ୍ୟର ସରକାରୀ ଚାକିରିଆ ବିଶାଲ କୁମାର ଚୌରାସିଆକୁ ପ୍ରଶ୍ନପତ୍ର ଦେବା ପରେ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ସହ ମୂଲଚାଲ ଆରମ୍ଭ ହୋଇଥିଲା। ଅନ୍ୟତମ ଅଭିଯୁକ୍ତ ସଦାଶିବ ମଧ୍ୟ ପ୍ରଶ୍ନପତ୍ର ଡିଲ୍ରେ ସଂପୃକ୍ତ ଥିବା କୁହାଯାଇଛି। ପୁଲିସ ପକ୍ଷରୁ ଗିରଫ ହୋଇଥିବା ଏହି ଅନ୍ତଃରାଜ୍ୟ ରାକେଟ୍ରେ ବିହାର ରାଜ୍ୟର ୬ ଜଣ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୮ ଜଣ, ପଶ୍ଚିମବଙ୍ଗ ରାଜ୍ୟରୁ ୨ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଅଭିଯୁକ୍ତ ଅଛନ୍ତି। ତେବେ ପ୍ରଶ୍ନପତ୍ର ମୁଦ୍ରଣ ହେଉଥିବା ସ୍ଥାନ ବିଷୟରେ ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାରକୁ କିପରି ସୂଚନା ମିଳିଲା, ସେ ବାବଦରେ ପୁଲିସ କିଛି ପ୍ରକାଶ କରିନାହିଁ।