ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ୯ ଜଣଙ୍କୁ ବାନ୍ଧିଲା ପୁଲିସ୍

ମୋର୍ବି: ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି ଏହି ଭୟଙ୍କର ଘଟଣାରେ ଗୁଜରାଟ ପୁଲିସ୍ ୯ ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ବ୍ରିଜ୍ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତ ରହିଛନ୍ତି। ରବିବାର ଝୁଲାପୋଲ ଭୁଶୁଡ଼ିଥିବା ବେଳେ ଆଜି ଏପରି ଗିରଫଦାରୀ ହୋଇଛି। ଗିରଫଦାରୀ ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍ ଜେରା କରିଥିଲା। ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଝୁଲାପୋଲ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଝୁଲାପୋଲଟି ଲୋକଙ୍କ ପାଇଁ ବେଶ କିଛି ଦିନ ବନ୍ଦ ରହିଥିଲା। ହେଲେ ନିକଟରେ ଲୋକଙ୍କ ଯିବା ଆସିବା ପାଇଁ ଅନୁମତି ମିଳିଥିଲା। କାଲି ରବିବାର ଥିବା ବେଳେ ବ୍ରିଜ ଉପରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ଝୁଲାପୋଲର କ୍ଷମତା ୧୨୫ ଥିବା ବେଳେ ଘଟଣା ବେଳେ ପ୍ରାୟ ୫୦୦ ଜଣ ଲୋକ ଏହା ଉପରେ ରହିଥିଲେ। ଫଳରେ ଝୁଲାପୋଲଟି ମଝିରୁ ଛିଣ୍ଡି ଯାଇଥିଲା।ଏହା ଉପରେ ଥିବା ଲୋକମାନେ ସିଧା ନଦୀକୁ ଖସି ପଡ଼ିଥିଲେ। ଲୋକମାନେ କେବଳ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ବ୍ରିଜ୍ ଭୁଶୁଡ଼ିବା ଯୋଗୁ ୧୩୪ ଜଣ ପ୍ରାଣ ହରାଇ ସାରିଲେଣି। ଏମାନଙ୍କ ମଧ୍ୟରେ ପ୍ରାୟ ୪୮ ଜଣ ହେଉଛନ୍ତି ଛୋଟ ପିଲା। ସେହିପରି ଅନେକ ମହିଳା ମଧ୍ୟ ଆଖି ବୁଜିଛନ୍ତି। ବ୍ରିଜ୍ର ମରାମତି ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ୧୫ ବର୍ଷ ପାଇଁ ସରକାର ଅଜନ୍ତା ଓରେଭା କମ୍ପାନୀକୁ ଦେଇଥିଲେ। ଏ ସଂକ୍ରାନ୍ତରେ ମୋର୍ବି ପୌରପାଳିକା ୨୦୨୨ ମାର୍ଚ୍ଚ ମାସରେ କମ୍ପାନୀ ସହ ଗୋଟିଏ ଚୁକ୍ତି କରିଥିଲା। ୨୦୩୭ରେ ଚୁକ୍ତିର ଅବଧି ଶେଷ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ହିଁ ଏତେ ବଡ଼ ଅଘଟଣ ଘଟିଛି। ତେଣୁ ଘଟଣାର ତଦନ୍ତ କରୁଥିବା ଗୁଜରାଟ ପୁଲିସ୍ ଏସଆଇଟି କମ୍ପାନୀର ୯ ଜଣଙ୍କୁ ଗିରଫ କରିଛି।