ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ବନ୍ଧୁକ ଡିଲ୍ ବେଳେ ପୋଲିସର ଚଢାଉ,୩ଅଭିଯୁକ୍ତ ଗିରଫ

କଟକ: କଟକ ଲାଲବାଗ ପୋଲିସକୁ ବଡ଼ ସଫଳତା । ବନ୍ଧୁକ ଡିଲ୍ ବେଳେ ପୋଲିସର ଚଢାଉ । ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩ଟି ବନ୍ଧୁକ ସହ ୧୫ ରାଉଣ୍ଡ ଗୁଳି ଜବତ କରିଛି କଟକ ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ଦିଘିର ଗୋପିନାଥ ପାତ୍ର(୩୭), କଟକ ସିଆରଆଇଆଇ ଥାନା ଅନ୍ତର୍ଗତ ଗତିରାଉତ ପାଟଣାର ଶ୍ରୀନାଥ ରାଉତ(୪୦) ଓ କିଶନନଗର ଥାନା ଅନ୍ତର୍ଗତ ଅର୍ଚ୍ଚିଲିର ଜ୍ୟୋତିରଂଜନ ରାଉତ(୨୫) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଗତକାଲି ରାତି ୮ଟା ବେଳେ ଲାଲବାଗ ଥାନା ଅଧିକାରୀ ବନ୍ଧୁକ କାରବାରର ଏକ ଗୁପ୍ତ ଖବରକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାଡ ସହାୟତାରେ ସଦଳବଳେ ସ୍ଥାନୀୟ ରାଧାନାଥ ଟ୍ରେନିଂ କଲେଜ ନିକଟରେ ଚଢଉ କରିଥିଲେ । ତେବେ ପୋଲିସକୁ ଦେଖି ଜଣେ ଖସି ପଳାଇଥିବା ବେଳେ ପୋଲିସ ଉପରୋକ୍ତ ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା । ସେମାନଙ୍କୁ ତଲାସି ନେବାରେ ୩ଟି ବନ୍ଧୁକ ସହିତ ୧୫ଟି ଗୁଳି ମିଳିଥିଲା । ପଚରା ଉଚରା ବେଳେ ସେମାନେ କଟକ, ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ସହିତ ଅନ୍ୟ ଜିଲ୍ଲାର ଅପରାଧୀମାନଙ୍କୁ ଏହି ବନ୍ଧୁକ ଯୋଗାଉଥିବା ସ୍ୱୀକାର କରିଥିଲେ ।

ସେମାନେ ବିହାରରୁ ଚୋରାରେ ଏହି ବନ୍ଧୁକ ସବୁ ଆଣି ଓଡିଶାର ବିଭିନ୍ନ ଜିଲ୍ଲାର ଅପରାଧୀମାନଙ୍କୁ ବିକୁଥିବାର ଜଣାପଡିଥିଲା । ଅଭିଯୁକ୍ତମାନେ ବିହାରରେ ବନ୍ଧୁକ ତିଆରି କରୁଥିବା ଲୋକଙ୍କ ସହ ସଂପର୍କ ରଖି ଏହି କାରବାର ଚଳାଇ ଆସୁଥିବା ସ୍ୱୀକାର କରିଥିଲେ । ପୋଲିସ କେସ ନଂ ୨୪୬/୨୨ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ଗୋପିନାଥ ବିରୋଧରେ ନିଆଳି ଥାନାରେ ଦୁଇଟି ମାମଲା ରହିଥିବା ବେଳେ ଦରଘାବଜାର ଥାନାରେ ଗୋଟିଏ ମାମଲା ରହିଛି । ଶ୍ରୀନାଥ ବିରୋଧରେ ଚାଉଳିଆଗଂଜ, କିଶନନଗର, ବିରିଡିି ଥାନାରେ ୭ଟି ମାମଲା ରହିଥିବା ବେଳେ ଜ୍ୟୋତିରଂଜନର ଅପରାଧିକ କାର୍ଯ୍ୟକଳାପର ଛାନଭିନ ଚାଲିଛି ।

 

Show More

Related Articles

Back to top button