ବାଲି ମାଫିଆଙ୍କ ବିରୋଧରେ ପୋଲିସର ସ୍ପେଶାଲ ଡ୍ରାଇଭ, 456 ମାମଲା ରୁଜୁ, 524 ଗାଡି ଜବତ

ଭୁବନେଶ୍ୱର, 11 ମାର୍ଚ୍ଚ – ରାଜ୍ୟରେ ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଉଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଗତ 7 ତାରିଖରୁ ପୋଲିସ ପକ୍ଷରୁ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ 456 ଟି ମାମଲା ରୁଜୁ କରାଯାଇଥିବା ବେଳେ 524 ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଇଛି । ଏହା ସହ 360 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ 1 ଶହରୁ ଅଧିକ ଲୋକଙ୍କୁ ନୋଟିସ ଦିଆଯାଇଛି ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଧରପଗଡ଼ ଅଭିଯାନ ଲଗାତାର ଭାବେ ଚାଲିବ ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି । ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତିବିଶେଷ ପୋଲିସକୁ ସୂଚନା ମଧ୍ୟ ଦେଇପାରିବେ। ପୋଲିସର ଏହି ଅଭିଯାନ ଯୋଗୁଁ ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ଦୌରାତ୍ମ୍ୟ ନିଶ୍ଚିତ ଭାବେ କମିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।