
ନୂଆଦିଲ୍ଲୀ: ବିଜେପିକୁ ଇସ୍ତଫା ଦେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ। ଏକଦା ନୀତୀଶ କୁମାରଙ୍କ ଜେଡିୟୁର ୨ନଂ ନେତା ଥିଲେ ପ୍ରଶାନ୍ତ କିଶୋର। କିନ୍ତୁ ଦଳ ବିରୋଧୀ କାମ ପାଇଁ ପିକେଙ୍କୁ ୨୦୨୦ରେ ଜେଡିୟୁରୁ ବିଦା ହେବାକୁ ପଡ଼ିଥିଲା। ଦିନକ ପୂର୍ବରୁ ପିକେ ବିଜେପି ପାଇଁ କାମ କରିପାରନ୍ତି ବୋଲି ନୀତୀଶ କୁମାର କହିଥିଲେ। ଆଜି ଏହାର ଜବାବ ପିକେ ୪ଟି ଫଟୋ ଜାରି କରି ଦେଇଛନ୍ତି। ଏହି ୪ଟି ଫଟୋରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ନସ୍ତମସ୍ତକ ହେବାର ଦୃଶ୍ୟ ରହିଛି। ତେବେ କିଛି ସମୟରେ ସେ ଏହାକୁ ଡିଲିଟ ମଧ୍ୟ କରିଦେଇଛନ୍ତି। ସେ କେବଳ ୪ଟି ଫଟୋ ଜାରି କରିଥିଲେ। କିନ୍ତୁ କୌଣସି ପ୍ରକାରର ମନ୍ତବ୍ୟ ଦେଇ ନଥିଲେ। ଦିନକ ପୂର୍ବରୁ ନୀତୀଶ କୁମାର ନିର୍ବାଚନ ରଣନୀତିଜ୍ଞ ପିକେଙ୍କୁ ‘ପ୍ରଚାର ବିଶେଜ୍ଞ’ ବୋଲି କହିଥିଲେ। ଏଥିସହ ତାଙ୍କ ବୟାନର କୌଣସି ମୂଲ୍ୟନାହିଁ ବୋଲି ନୀତୀଶ କହିବାକୁ ପଛାଇ ନଥିଲେ।
ପିକେଙ୍କୁ ଟାର୍ଗେଟ କରି ନୀତୀଶ କୁମାର କହିଥିଲେ ଯେ ୨୦୦୫ ପରଠାରୁ କେତେ କାମ ହୋଇଛି ସେ ବିଷୟରେ ପିକେ କିଛି ଜାଣିଛନ୍ତି? ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସହ କାମ କରିବା ତାଙ୍କର ଗୋଟିଏ ବ୍ୟବସାୟୀ। ସେ ବିହାର ପାଇଁ କ’ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଆମର କିଛି ଫରକ ପଡ଼ିବାର ନାହିଁ। ପିକେ ସମ୍ଭବତଃ ଶେଷ ସମୟରେ ବିଜେପିକୁ ଫାଇଦା ଦେବା ପାଇଁ କାର୍ଯ୍ୟ କରିପାରନ୍ତି। ଆରଜେଡି ସହ ହାତ ମିଳାଇବାକୁ ଜେଡିୟୁ ନେଇଥିବା ନିଷ୍ପତ୍ତି କେବଳ ଆଞ୍ଚଳିକ ସ୍ତରରେ ପ୍ରଭାବ ପକାଇବ ଓ ଜାତୀୟ ସ୍ତରରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ପିକେ ଦେଇଥିବା ବୟାନକୁ ମଧ୍ୟ ନୀତୀଶ କୁମାର ଖଣ୍ଡନ କରିଥିଲେ।