
ଏପ୍ରିଲ ମାସରେ ମୁଦ୍ରାସ୍ପିତି ହାର ୮ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ଉଚ୍ଚ ମୁଦ୍ରାସ୍ପିତିରେ ପ୍ୟାକେଟରେ ମିଳୁଥିବା ସାମଗ୍ରୀର ମୂଲ୍ୟ କିନ୍ତୁ ପରିବର୍ତ୍ତନ ହୋଇନି। ହେଲେ କମ୍ପାନୀମାନେ ପ୍ୟାକେଟ୍ ଭିତରେ ରଖୁଥିବା ସାମଗ୍ରୀର ସଂଖ୍ୟା ଏବଂ ଓଜନ (ଭଲ୍ୟୁମ) ହ୍ରାସ କରିଦେବା ଗ୍ରାହକଙ୍କୁ ବାଧୁଛି। ଭୁଜିଆ ହେଉ କି ସାବୁନ ଦୈନନ୍ଦିନ ଜୀବନରେ ଜରୁରି ଆବଶ୍ୟକ ହେଉଥିବା ଏହି ସବୁ ପ୍ୟାକେଟରେ ଆସୁଥିବା ସାମଗ୍ରୀର ଭଲ୍ୟୁମ ଏବେ ହ୍ରାସ କରିଦିଆଯାଇଛି। କମ୍ପାନୀମାନଙ୍କ ପ୍ୟାକେଟ୍ ହାଲୁକା ହେବାର କାରଣ ମୂଲ୍ୟ ବୃଦ୍ଧି। ତେବେ ଉତ୍ପାଦର ଚାହିଦା କାୟମ ରଖିବା ପାଇଁ ସେମାନେ ଏପରି ରଣନୀତି ଆପଣାଇଛନ୍ତି। ଗ୍ରାହକଙ୍କୁ ଯଦିଓ ପଇସାରେ ଅଧିକ ଦେବାକୁ ପଡୁନି ତେବେ ପ୍ୟାକେଟ୍ ଭିତରେ କମ ସାମଗ୍ରୀ ସେମାନଙ୍କ ମନ ଉଣା କରୁଛି। ପ୍ୟାକେଟ୍ ହାଲୁକା ହେବା ଯୋଗୁ ଗ୍ରାହକଙ୍କୁ ମୂଲ୍ୟ ବୃଦ୍ଧିର ପ୍ରଭାବ ଥରକରେ ଜଣା ପଡୁନି। ହେଲେ ସେମାନେ ଆଗରୁ ପାଉଥିବା ସାମଗ୍ରୀର ଆକାର,ଓଜନ ଓ ମାନ ସମ୍ପର୍କରେ ପରେ ଅନୁଭବ କରୁଛନ୍ତି। କମ୍ପାନୀମାନେ ଏବେ ଫିକ୍ସଡ ପ୍ରାଇସ୍ ଆଇଟମରେ ଓଜନ ହ୍ରାସ କରି ହାଇ ଇନପୁଟ୍ ପ୍ରାଇସ୍ ଅର୍ଥାତ ଉଚ୍ଚ ଲଗାଣ ମୂଲ୍ୟକୁ ଆଡଜଷ୍ଟ କରୁଛନ୍ତି। କମ ଆୟକାରୀ ଓ ଗ୍ରାମୀଣ କ୍ଷେତ୍ରର ଗ୍ରାହକଙ୍କୁ ଟାର୍ଗେଟ କରି ସେମାନେ ଏହି ରଣନୀତି ଆପଣାଇଥିବା ବେଳେ ସାମଗ୍ରୀର ମୂଲ୍ୟ ବୃଦ୍ଧି ନ କରି ଆକାର ଏବଂ ଓଜନ ହ୍ରାସ କରିଛନ୍ତି। ଖାଇବା ତେଲ, ଇନ୍ଧନ ଓ ଖାଦ୍ୟ ଶସ୍ୟ ମୂଲ୍ୟ ବୃଦ୍ଧି ଯୋଗୁ ଉପୁଜିଥିବା ପରିସ୍ଥିତିରେ କଞ୍ଜ୍ୟୁମର ଗୁଡସ୍ କମ୍ପାନୀ ୟୁନିଲିଭର ପିଏଲସିଙ୍କ ଭାରତୀୟ ୟୁନିଟ୍, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ, ଡାବର ଇଣ୍ଡିଆ ସମେତ ଅନ୍ୟ କମ୍ପାନୀମାନେ ସେମାନଙ୍କର ସବୁଠୁ ଶସ୍ତା ପ୍ୟାକେଜ୍ କୁ ହାଲୁକା କରିଛନ୍ତି। କେବଳ ଭାରତ ନୁହେଁ ଉଚ୍ଚ ମୁଦ୍ରାସ୍ପିତି ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି।
ଏଣୁ ଆମେରିକାରେ ମଧ୍ୟ କମ୍ପାନୀମାନେ ସେମାନଙ୍କର ସବୁଠୁ ଶସ୍ତା ପ୍ୟାକେଜଡ ଆଇଟମର ଓଜନ ହ୍ରାସ କରିଛନ୍ତି। ଆମେରିକାରେ ସବୱେ ରେଷ୍ଟୁରାଣ୍ଟ, ଡୋମିନୋଜ ପିଜ୍ଜା ସମେତ ଅନ୍ୟ କମ୍ପାନୀମାନେ ଖର୍ଚ୍ଚ ବଞ୍ଚାଇବାକୁ ସେମାନଙ୍କ ଉତ୍ପାଦକୁ ଛୋଟ କରିବାର ରଣନୀତି ଆପଣେଇଛନ୍ତି।ହିନ୍ଦୁସ୍ତାନ ୟୁନିଲିଭରଙ୍କ ମୁଖ୍ୟ ଆର୍ଥିକ ଅଧିକାରୀ ରିତେଶ ତିୱାରୀଙ୍କ ସୂତ୍ରରୁ ଲାଇଭମିଣ୍ଟ ଆଗାମୀ ୨ରୁ ୩ ତ୍ରୈମାସିକରେ ଆହୁରି ଅଧିକ ମୂଲ୍ୟବୃଦ୍ଧି ଦେଖିବାକୁ ପଡିବ ବୋଲି ରିପୋର୍ଟ କରିଛନ୍ତି। ଏଣୁ ଏପରି ପରିସ୍ଥିତିରେ ମୂଲ୍ୟବୃଦ୍ଧିର ମୁକାବିଲା ଲାଗି ଭଲ୍ୟୁମ ହ୍ରାସ ହିଁ ଆମର ଏବେ ବଡ ଅସ୍ତ୍ର ବୋଲି କହିଛନ୍ତି।