ବଡ଼ ଖବର: ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ
ସକାଳ ୯ଟାରୁ ୧୨ ଯାଏଁ ଚାଲିବ ପାଠପଢା

ବଡ଼ ଖବର । ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ପୂର୍ବ ଗାଇଡ୍ଲାଇନ୍ ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । ତେବେ ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ରହିଛି, ସେଠାରେ ସମ୍ମେଟିଭ୍ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ ତାରିଖ ପରେ ସ୍କୁଲ ଖୋଲିବ ।
ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ପ୍ରାଥମିକ ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି । କରୋନାର କୋପ କମିବା ପରେ ରାଜ୍ୟ ସରକାର ଅନ୍ଲାଇନ୍ରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ । ମାତ୍ର ଏହି ବ୍ୟବସ୍ଥା ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ । କାରଣ, ଯେଉଁ ରାଜ୍ୟରେ ଦୁଇ ଓଳି ଦୁଇ ମୁଠା ଖାଇବା ସମ୍ଭବ ହେଉନଥିବା ବେଳେ ସେ ପରିସ୍ଥିତିରେ ନିଜ ପିଲାଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦେବା କାଠିକର ପାଠ ହେଉଥିଲା । ତଥାପି କେତେକ ଅଭିଭାବକ ନିଜ ଉପାର୍ଜିତ ଅର୍ଥରୁ କିଛି ସଞ୍ଚୟ କରି ଆଣ୍ଡ୍ରଏଡ୍ ଫୋନ୍ କିଣି ପିଲାଙ୍କୁ ପାଠ ପଢ଼ିବାକୁ ଦେଇଥିଲେ । ହେଲେ ସେ ନେଟ୍ୱର୍କ ସମସ୍ୟା ଦେଖାଦେଇଥିଲା । ଯେଉଁଥିପାଇଁ ପିଲାମାନଙ୍କ ଅନ୍ଲାଇନ୍ ଶିକ୍ଷା ଅଧାବାଟରେ ରହି ଯାଇଥିଲା । ଏନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇବା ପରେ ସ୍କୁଲ୍ ଖୋଲିଛି ।
ସ୍କୁଲ ଖୋଲିବା ପରେ ଏବେ ରାଜ୍ୟରେ ଥିବା ୨୭୦୦୦ ସ୍କୁଲ ଚଞ୍ଚଳ ହେବ । ପୂର୍ବ ପରି କ୍ଲାସ ରୁମ୍ରେ ବସି ପିଲାମାନେ ପାଠ ପଢ଼ିବେ । କିନ୍ତୁ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।