ଓଡିଶାବାସୀଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶାର ପ୍ରଧାନ ପର୍ବ ନୂଆଁଖାଇ। ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନୂଆଁଖାଇ ଜୁହାରର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କୁ ଏହି ବିଶେଷ ଦିନର ଶୁଭେଚ୍ଛା ଜଣାଇବା ସହ କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଚାଷୀଙ୍କୁ କୃତଜ୍ଞତା ଅର୍ପଣକରିଛନ୍ତି । ଆଉ କହିଛନ୍ତି ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ। ତା’ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ। ଏହା ପୂର୍ବରୁ ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ସାରିଛି ପାହୁର ଭାର। ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା। ନୂଆଁଖାଇର ପୂର୍ବଦିନରେ ନିଆରା ପରମ୍ପରା ପାହୁର ଭାର ଅନୁଷ୍ଠିତ ହୋଇଥାଏ। ମାଆଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ। ଏହି ଭାରରେ ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମାଆଙ୍କ ଲାଗି ଚୁଡି, ଗହଣା, ଶାଢ଼ୀ ଆଉ ପନିପରିବା ଏଥିରେ ଥାଏ। ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର। ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମ୍ଧାମରେ ନୂଆଁଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ ଯିଏ ଯେଉଁଠି , ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଫେରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଦୁଇଟି ନୂଆଁଖାଇ ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲଗ୍ନରେ ନୂଆଁଖାଇ ହେବ। ତେବେ ପୁରପଲ୍ଲୀରେ ଆଜି ଭାଦ୍ରବ ପଞ୍ଚମୀ ତିଥିରେ ଦଧିବାମନଙ୍କ ଲଗ୍ନରେ ନୂଆଁଖାଇ ପାଳନ ହେଉଛି ।