ମନ୍ କୀ ବାତରେ ଛେଳିଚାଷକୁ ପ୍ରଧାନମନ୍ତ୍ରୀଙ୍କ ପ୍ରୋତ୍ସାହନ
କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁଙ୍କ ଉଦାହରଣ ଦେଲେ ପିଏମ ମୋଦି
ନୂଆଦିଲ୍ଲୀ, 25 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର 110ତମ ଏପିସୋଡରେ ପଶୁପାଳନ କଥା ଉଠାଇ ଛେଳିଚାଷକୁ ପ୍ରୋତ୍ସାହନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୁଇଜଣ ଓଡ଼ିଆଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଯେତେବେଳେ ପଶୁପାଳନ କଥା ହେଉ ତ ପ୍ରାୟ ଗାଈମଇଁଷି ପର୍ଯ୍ୟନ୍ତ ଆସି ଅଟକିଯାଉ । କିନ୍ତୁ ଛେଳି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଶୁଧନ, ଯାହା ବିଷୟରେ ସେତିକି ଆଲୋଚନା ହୁଏ ନାହିଁ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଅନେକ ଲୋକ ଛେଳିପାଳନ ସହିତ ସଂପୃକ୍ତ ଅଛନ୍ତି । ଓଡ଼ିଶାର କଳାହାଣ୍ଡିରେ ଛେଳି ପାଳନ ଗାଁ ଲୋକଙ୍କର ଜୀବିକା ସହିତ ସେମାନଙ୍କ ଜୀବନ ସ୍ତରକୁ ଉପରକୁ ଆଣିବାରେ ମଧ୍ୟ ଏକ ବଡ଼ ମାଧ୍ୟମ ପାଲଟୁଛି । ଏହି ଉଦ୍ୟମ ପଛରେ ଜୟନ୍ତୀ ମହାପାତ୍ର ଜୀ ଓ ତାଙ୍କ ପତି ବୀରେନ ସାହୁ ଜୀଙ୍କ ବଡ଼ ନିଷ୍ପତ୍ତି ରହିଛି । ଏହି ଦୁଇଜଣ ବେଙ୍ଗାଲୁରୁରେ ମେନେଜମେଣ୍ଟ ପ୍ରଫେସନାଲ୍ ଥିଲେ, କିନ୍ତୁ ସେମାନେ ସେଠାରୁ ବିରତି ନେଇ କଳାହାଣ୍ଡିର ସାଲେଭଟା ଗାଁକୁ ଆସିବାର ନିଷ୍ପତ୍ତି ନେଲେ । ସେମାନେ ଏପରି କିଛି କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସେଠାକାର ଗ୍ରାମାଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ତ ହେବ, ତା’ସହିତ ସେମାନେ ସଶକ୍ତ ମଧ୍ୟ ହୋଇପାରିବେ । ସେବା ଓ ସମର୍ପଣରେ ପୂର୍ଣ୍ଣ ନିଜର ଏହି ଭାବନା ସହିତ ସେମାନେ ମାଣିକାସ୍ତୁ ଏଗ୍ରୋ ସ୍ଥାପନ କଲେ ଏବଂ ଚାଷୀଙ୍କ ସହିତ କାମ ଆରମ୍ଭ କରିଦେଲେ । ଜୟନ୍ତୀ ଜୀ ଓ ବୀରେନ୍ ଜୀ ସେଠାରେ ଏକ ନିଆରା ମାଣିକାସ୍ତୁ ଛେଳି ବ୍ୟାଙ୍କ୍ ମଧ୍ୟ ଖୋଲିଛନ୍ତି । ସେମାନେ ଗୋଷ୍ଠୀଗତ ଭାବେ ଛେଳି ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି । ସେମାନଙ୍କ ଛେଳିଗୋଠରେ ପ୍ରାୟ କେଇ ଡଜନ ଛେଳି ଅଛନ୍ତି । ମାଣିକାସ୍ତୁ ଛେଳି ବ୍ୟାଙ୍କ ଜରିଆରେ ସେମାନେ ଚାଷୀଙ୍କ ପାଇଁ ଏକ ସମଗ୍ର ବ୍ୟବସ୍ଥା ତିଆରି କରିଛନ୍ତି । ତା’ ମାଧ୍ୟମରେ ଚାଷୀଙ୍କୁ ୨୪ ମାସ ପାଇଁ ୨ଟି ଛେଳି ଦିଆଯାଏ । ୨ ବର୍ଷରେ ଛେଳି ୯ରୁ ୧୦ଟି ଛୁଆ ଜନ୍ମ କରନ୍ତି, ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ରଖେ ଓ ବାକି ଛୁଆଙ୍କୁ ସେହି ପରିବାରକୁ ଦେଇଦିଆଯାଏ ଯିଏ ସେଗୁଡ଼ିକୁ ପାଳନ କରନ୍ତି । କେବଳ ସେତିକି ନୁହେଁ, ଛେଳିଙ୍କ ଲାଳନପାଳନ ପାଇଁ ଜରୁରୀ ସେବାଯତ୍ନ ମଧ୍ୟ ପ୍ରଦାନ କରାଯାଏ । ଆଜି ୫୦ଟି ଗାଁର ୧୦୦୦ରୁ ଅଧିକ ଚାଷୀ ଏହି ଦମ୍ପତିଙ୍କ ସହ ଯୋଡ଼ି ହୋଇଛନ୍ତି । ତାଙ୍କ ସହାୟତାରେ ଗାଁର ଲୋକେ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଗତି କରୁଛନ୍ତି । ଏହାଦେଖି ମୋତେ ଖୁସି ଲାଗୁଛି ଯେ ବିଭିନ୍ନ କ୍ଷେତ୍ରରେ ସଫଳ ପେସାଦାରମାନେ ଛୋଟ ଚାଷୀଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ନୂଆନୂଆ ଉପାୟ ଆପଣାଉଛନ୍ତି । ତାଙ୍କର ଏହି ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟକ ଅଟେ ।