
ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ପୁଣେର ଜଣେ ବରିଷ୍ଠ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତା ମନୀଷା ଗୁରୁନାଥ ମାଣ୍ଢାରେଙ୍କୁ ବାୟୋଲୋଜି ପ୍ରଶ୍ନପତ୍ର ଲିକ୍ ଘଟଣାର ଅନ୍ୟତମ ମୁଖ୍ୟ ସୂତ୍ରଧାର ବୋଲି ସନ୍ଦେହ କରାଯାଉଛି।
ସିବିଆଇ ସୂଚନା ଅନୁସାରେ, ମନୀଷାଙ୍କୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ବାୟୋଲୋଜି ପ୍ରଶ୍ନପତ୍ରରେ ତାଙ୍କର ସମ୍ପୂର୍ଣ୍ଣ ପ୍ରବେଶାଧିକାର ଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ସେ ପୁଣେର କନସଲଟାଣ୍ଟ ମନୀଷା ୱାଗମାରେଙ୍କ ସହଯୋଗରେ କିଛି ପରୀକ୍ଷାର୍ଥୀଙ୍କୁ ଚୟନ କରି ନିଜ ଘରେ ବିଶେଷ କୋଚିଂ ଶ୍ରେଣୀ ଚାଲାଉଥିଲେ। ସେଠାରେ ସେ ବାୟୋଲୋଜି ପ୍ରଶ୍ନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ କହି ନୋଟ୍ କରାଉଥିବା ଅଭିଯୋଗ ହୋଇଛି।
ସିବିଆଇ କହିଛି, ଏହି ପ୍ରଶ୍ନମାନଙ୍କର ଅଧିକାଂଶ ପରେ ମେ ୩ରେ ହୋଇଥିବା ନିଟ୍-ୟୁଜି ପରୀକ୍ଷାର ପ୍ରକୃତ ପ୍ରଶ୍ନପତ୍ର ସହ ମେଳ ଖାଇଥିଲା।
ଏହି ମାମଲାରେ ଏପର୍ଯ୍ୟନ୍ତ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାଶିକ, ପୁଣେ ଓ ଅହଲ୍ୟାନଗରରୁ ୯ ଜଣଙ୍କୁ ଗିରଫ କରାଯାଇଛି। ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲାପଟପ୍, ମୋବାଇଲ୍ ଫୋନ୍, ବ୍ୟାଙ୍କ ଦଲିଲ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି। ମାମଲାର ତଦନ୍ତ ଜାରି ରହିଛି।



