ମୁଖ୍ୟ ଖବରଶିକ୍ଷା

ଜୁଲାଇ ୧ରୁ ନବମ ଶ୍ରେଣୀରେ ତିନି ଭାଷା ପାଠ ଅନିବାର୍ଯ୍ୟ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି–୨୦୨୦ ଓ ନୂତନ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଅନୁସାରେ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଭାଷା ପଢ଼ିବାକୁ ଅନିବାର୍ୟ କରାଯାଇଛି। ଜୁଲାଇ ୧ରୁ ଏହି ବ୍ୟବସ୍ଥା ଲାଗୁ ହେବ।
ବିଦ୍ୟାଳୟଗୁଡ଼ିକୁ ଜାରି ନିର୍ଦ୍ଦେଶିକାରେ କୁହାଯାଇଛି ଯେ, ତିନୋଟି ଭାଷା ମଧ୍ୟରୁ କମରେ କମ୍‌ ଦୁଇଟି ଭାରତୀୟ ଭାଷା ହେବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ବିଦେଶୀ ଭାଷାକୁ ତୃତୀୟ ଭାଷା ଭାବେ ନେଇପାରିବେ, ଯଦି ଅନ୍ୟ ଦୁଇଟି ଭାଷା ଭାରତୀୟ ଥାଏ। ନଚେତ୍ ସେହି ଭାଷାକୁ ଅତିରିକ୍ତ ଚତୁର୍ଥ ଭାଷା ଭାବେ ପଢ଼ିବାକୁ ପଡ଼ିବ।
ନୂଆ ପୁସ୍ତକ ଉପଲବ୍ଧ ହେବା ପର୍ଯ୍ୟନ୍ତ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଷଷ୍ଠ ଶ୍ରେଣୀର ତୃତୀୟ ଭାଷା ପୁସ୍ତକର ୨୦୨୬–୨୭ ସଂସ୍କରଣ ବ୍ୟବହାର କରିବେ।
ଦଶମ ଶ୍ରେଣୀରେ ତୃତୀୟ ଭାଷା ପାଇଁ କୌଣସି ବୋର୍ଡ ପରୀକ୍ଷା ହେବ ନାହିଁ। ଏହାର ମୂଲ୍ୟାୟନ ସମ୍ପୂର୍ଣ୍ଣ ଭାବେ ବିଦ୍ୟାଳୟ ସ୍ତରରେ କରାଯିବ ଏବଂ ଫଳାଫଳ ପ୍ରମାଣପତ୍ରରେ ଉଲ୍ଲେଖ ହେବ।
ଏହା ସହିତ କୌଣସି ଛାତ୍ରଛାତ୍ରୀଙ୍କୁ ତୃତୀୟ ଭାଷା କାରଣରୁ ଦଶମ ବୋର୍ଡ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଆଭ୍ୟନ୍ତରୀଣ ମୂଲ୍ୟାୟନ ପାଇଁ ନମୁନା ପ୍ରଶ୍ନପତ୍ର ଓ ମାନଦଣ୍ଡ ଶୀଘ୍ର ଜାରି କରାଯିବ।
ବିଦ୍ୟାଳୟମାନଙ୍କୁ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ତୃତୀୟ ଭାଷା ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ଜୁନ୍ ୩୦ ସୁଦ୍ଧା ଅନଲାଇନ୍‌ ମାଧ୍ୟମରେ ଅଦ୍ୟତନ କରିବାକୁ କୁହାଯାଇଛି।
ଭାଷା ଶିକ୍ଷକଙ୍କ ଅଭାବ ଥିବା ବିଦ୍ୟାଳୟଗୁଡ଼ିକୁ ଅନ୍ୟ ବିଦ୍ୟାଳୟ ସହ ସମନ୍ୱୟ, ମିଶ୍ରିତ ଶିକ୍ଷା ପଦ୍ଧତି, ଅବସରପ୍ରାପ୍ତ ଶିକ୍ଷକଙ୍କ ସହଯୋଗ ଓ ଯୋଗ୍ୟ ଶିକ୍ଷକ ନିଯୁକ୍ତି ପରି ବ୍ୟବସ୍ଥା ନେବାକୁ ଅନୁମତି ଦିଆଯାଇଛି।
ଏହାସହ ୧୯ଟି ଭାଷାର ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଜୁଲାଇ ୧ ପୂର୍ବରୁ ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button