ମହାପ୍ରଭୁଙ୍କ ଜମି ବିକ୍ରି ଅଭିଯୋଗରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ-ମନ୍ତ୍ରୀ
ଭୁବନେଶ୍ୱର- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ସଂକ୍ରାନ୍ତରେ ଶନିବାର ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ନେଇ ଆଇନ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । କ୍ରେତା ଓ ବିକ୍ରେତା ଓ ସବ୍ ରେଜିଷ୍ଟ୍ରାର ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବାସେଳୀସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଜବରଦଖଲ ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ ଯୋଜନା ରହିଛି । ‘୨୦୦୩ ୟୁନିଫର୍ମ ପଲିସିରେ ଜବରଦଖଲ ଜମିର ସେଟଲମେଣ୍ଟ ହେବ’ । ‘ସେଟଲମେଣ୍ଟ ଦ୍ବାରା ପ୍ରାୟ ୮ରୁ ୧୦ ହଜାର କୋଟିର କର୍ପସ ଫଣ୍ଡ ହେବ’ ।
ଏଠାରେ ସୂଚନା ଯୋଗ୍ୟ, ପୁରୀ ତଥା ଆଖପାଖ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ହଜାରହଜାର ଏକର ଜମି ରହିଛି। ବିଭିନ୍ନ ସମୟରେ ବେଆଇନ ଭାବେ ଜମି ଦଲାଲମାନେ ସାଧାରଣ ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରିଥିବା ଅଭିଯୋଗ ହୋଇଛି। ବାସେଳିସାହି ଥାନା ଅଧୀନ ମାଟିତୋଟା ମୌଜାର ୟୁନିଟ ନଂ-୧, ଖାତା ନଂ -୩୮ରେ ଥିବା ସମୁଦାୟ ୧୦୯ଟି ପ୍ଲଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି। ଏହି ୧୦୯ଟି ପ୍ଲଟକୁ କିଛି ଜମି ଦଲାଲ ବେଆଇନ ଭାବେ ଦଖଲ କରି ସାଧାରଣ ଲୋକଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଜମି ବିକ୍ରିବେଳେ କବଲା କରାନଯାଇ ନୋଟାରୀ ମାଧ୍ୟମରେ ବିକ୍ରି କରାଯାଇଛି ବୋଲି ସୂଚନା ମିଳିଛି। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏହି ଜମି ବିକ୍ରିରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇଛି ।