କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଟାକ୍ଷ

ସାଧାରଣ ଲୋକଙ୍କ ପେଟରେ ବାରମ୍ବାର ଲାତ ମାରୁଛି ମହାମାରୀ କରୋନା । ଯାହା ଫଳରେ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ସାଧାରଣ ଲୋକେ । ଦେଶର ଅର୍ଥନୀତି ସ୍ବାଭାବିକ ହେଉଥିବା ବେଳେ ସ୍ବାଭାବିକ ହେଉନି ସାଧାରଣ ଲୋକଙ୍କ ଜୀବନ ଯାହା ଉପରେ ପୁଣି ବୋଝ ଉପରେ ଲଳିତା ବିଡା ସାଜିଛି ଗ୍ୟାସ ଦର ବୃଦ୍ଧି । ଆଜି ପୁଣି ସିଲିଣ୍ଡର ପିଛା ୨୫ଟଙ୍କା ବଢ଼ି ୯ଶହ ଟଙ୍କା ଟପିଯାଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।
୯ ଶହ ଟପିଲା ଗ୍ୟାସ ସିଲିଣ୍ଡର ଦର । ୧୫ ଦିନରେ ୫୦ ଟଙ୍କା ବୃଦ୍ଧି । ମାସ ଆରମ୍ଭ ହେଉ ହେଉ ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ମାଡ କରିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି । ୧୪.୨ କେଜି ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଛି । ଭୁବନେଶ୍ୱରରେ ୮୮୬ ଟଙ୍କାରୁ ବଢ଼ି ୯୧୧ ଟଙ୍କା ହୋଇଛି । ଗ୍ରାମାଞ୍ଚଳରେ ପହଞ୍ଚିବାବେଳକୁ ଏହି ଦର ଆହୁରି ଅଧିକ ହେବ । ମାତ୍ର ୧୫ ଦିନ ମଧ୍ୟରେ ଦର ୫୦ ଟଙ୍କା ବୃଦ୍ଧି ପାଇଛି । ଦୁଇ ମାସ ମଧ୍ୟରେ ତିନି ଥର ଦର ବଢ଼ିଛି ।
୨୦୧୪ ମାର୍ଚ୍ଚ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କାରେ ମିଳୁଥିଲା । କିନ୍ତୁ ଏବେ ସେହି ସମାନ ସିଲିଣ୍ଡର ଦାମ ୯୧୧ ଟଙ୍କା ହୋଇଛି । ଅର୍ଥାତ ୭ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇଛି । ଗୋଟିଏ ପଟେ ଦେଶର ଜିଡିପି ଅଭିବୃଦ୍ଧି ହାର ରେକର୍ଡ କରୁଛି । ରେକର୍ଡ ପରିମାଣର ଜିଏସଟି ଆଦାୟ ହେଉଛି । କିନ୍ତୁ ଅନ୍ୟ ପଟେ ଦରଦାମ ହୁ ହୁ ବଢ଼ିଚାଲିଛି । ବିଶେଷ କରି ଗ୍ୟାସ, ଡିଜେଲ ଓ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।
ରାହୁଲ କହିଛନ୍ତି, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ସାଧାରଣ ଲୋକଙ୍କ ଉପରେ ସିଧାସଳଖ ଓ ପରୋକ୍ଷରେ ପ୍ରଭାବ ପକାଉଛି । ଗ୍ୟାସ, ଡିଜେଲ ଓ ପେଟ୍ରୋଲ ଜିଡିପି ବୋଲି କଟାକ୍ଷ କରି ପଚାରିଛନ୍ତି, ଏଥିରୁ ଆଦାୟ ହୋଇଥିବା ୨୩ ଲକ୍ଷ କୋଟି ଟଙ୍କା କୁଆଡେ ଗଲା । ଗତ କିଛି ଦିନ ହେବ କେବଳ ପେଟ୍ରୋଲ, ଡିଜେଲ, ଗ୍ୟାସ ସାଙ୍ଗକୁ ଖାଇବା ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯାହାକି ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି ।