‘ଅପରେସନ୍ ସିନ୍ଦୂର’ ବାର୍ଷିକୀରେ ସେନାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ କଲେ ରାଜନାଥ ସିଂହ

ଜୟପୁର: ‘ଅପରେସନ୍ ସିନ୍ଦୂର’ରୁ ଶିକ୍ଷା ନେଇ ଏବଂ ବଦଳୁଥିବା ବିଶ୍ୱ ସୁରକ୍ଷା ପରିସ୍ଥିତିକୁ ମନେରଖି ଭାରତୀୟ ସଶସ୍ତ୍ର ବାହିନୀକୁ ଭବିଷ୍ୟତ ପାଇଁ ସଦା ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆହ୍ୱାନ କରିଛନ୍ତି। ଜୟପୁରରେ ଆୟୋଜିତ ସଂଯୁକ୍ତ କମାଣ୍ଡର୍ସ ସମ୍ମିଳନୀରେ ସେ ଏହି ମତ ପ୍ରକାଶ କରିଥିଲେ।
ରାଜନାଥ ସିଂହ କହିଥିଲେ, ‘ଅପରେସନ୍ ସିନ୍ଦୂର’ ଭାରତୀୟ ସେନାର ତ୍ୱରିତ, ସଠିକ୍ ଓ ସମନ୍ୱିତ କାର୍ଯ୍ୟକ୍ଷମତାର ଉଦାହରଣ। ଏହା ଦେଶର ସୁରକ୍ଷା କ୍ଷମତା ଓ ସେନାର ନୂତନ କାର୍ଯ୍ୟଶୈଳୀକୁ ପ୍ରତିଫଳିତ କରିଛି।
ସେ କହିଥିଲେ, ଭବିଷ୍ୟତର ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ନୁହେଁ, ବରଂ ନବୀନ ଚିନ୍ତାଧାରା, ପ୍ରଯୁକ୍ତି ଓ ସମନ୍ୱୟ ଶକ୍ତିରେ ଜିତାଯିବ। ଏହି ପରିପ୍ରେକ୍ଷିରେ କୃତ୍ରିମ ବୁଦ୍ଧିମତା (AI), ସ୍ୱୟଂଚାଳିତ ପ୍ରଣାଳୀ, ଡାଟା ଆନାଲିଟିକ୍ସ ଓ ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ଜୋର ଦେଇଥିଲେ।
ସମ୍ମିଳନୀରେ ପ୍ରତିରକ୍ଷାମନ୍ତ୍ରୀ ‘ଅପରେସନ୍ ସିନ୍ଦୂର’ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମୁକ୍ତି କରିଥିବା ବେଳେ ‘ଭିଜନ୍ ୨୦୪୭’ର ହିନ୍ଦୀ ସଂସ୍କରଣ ଏବଂ ସଂଯୁକ୍ତ ଯୋଗାଯୋଗ ନୀତିପତ୍ରକୁ ମଧ୍ୟ ଉନ୍ମୋଚନ କରିଥିଲେ।



