
ବେଙ୍ଗାଲୁରୁ: ଆର୍ଟ ଅଫ୍ ଲିଭିଂ ସଂସ୍ଥାର ୪୫ ବର୍ଷ ପୂର୍ତ୍ତି ଓ ଏହାର ସ୍ଥାପକ ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମଦିନ ଅବସରରେ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂ ଆନ୍ତର୍ଜାତୀୟ କେନ୍ଦ୍ରକୁ ଗସ୍ତ କରିବେ। ଏନେଇ ଶୁକ୍ରବାର ଶ୍ରୀଶ୍ରୀ ରବିଶଙ୍କର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଗର୍ବ ଓ ସମ୍ମାନର ବିଷୟ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେବେ। ଦେଶ-ବିଦେଶରୁ ହଜାର ହଜାର ଭକ୍ତ, ସ୍ୱୟଂସେବକ ଓ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ସମ୍ମିଳିତ ହେବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ଧ୍ୟାନ ମନ୍ଦିର’ ନାମକ ଏକ ନୂତନ ଧ୍ୟାନ କେନ୍ଦ୍ରର ଉଦ୍ଘାଟନ କରିବେ। ସେହିପରି ମାନସିକ ସୁସ୍ଥତା, ଗ୍ରାମୀଣ ଉନ୍ନତି, ପରିବେଶ ସୁରକ୍ଷା ଓ ସାମାଜିକ ପରିବର୍ତ୍ତନକୁ କେନ୍ଦ୍ର କରି ବର୍ଷବ୍ୟାପୀ ସେବା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ।
କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ ବୃହତ୍ ସମାଗମ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।



