
ଜୟପୁର: ଶବ୍ଦ ପ୍ରଦୂଷଣ ଓ ବେପରୁଆ ଡ୍ରାଇଭିଂକୁ ରୋକିବା ପାଇଁ ଜୟପୁର ଟାଉନ୍ ପୋଲିସ ପକ୍ଷରୁ ବିଶେଷ ଅଭିଯାନ ଚଲାଇ ୮୫ଟି ବୁଲେଟ୍ ମୋଟରସାଇକେଲ୍ ଜବତ କରାଯାଇଛି। ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ବଦଳାଯାଇଥିବା ସାଇଲେନ୍ସରଗୁଡ଼ିକୁ ମଧ୍ୟ ପୋଲିସ ଧ୍ୱଂସ କରିଦେଇଛି।
କୋରାପୁଟ ଏସ୍ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶରେ ତିନି ଦିନ ଧରି ଏହି ଅଭିଯାନ ଚାଲିଥିଲା। ଏସ୍ଡିପିଓ ଅର୍ଜିତା ମିତ୍ତଲଙ୍କ ନେତୃତ୍ୱରେ ଜୟପୁର ଟାଉନ୍ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଇକ୍ଗୁଡ଼ିକୁ ଜବତ କରିଥିଲା। ଅବୈଧ ହାଇ-ଡେସିବେଲ୍ ସାଇଲେନ୍ସର ଲଗାଇଥିବା ବାଇକ୍ ମାଲିକଙ୍କୁ ଜୋରିମାନା ମଧ୍ୟ କରାଯାଇଛି।
ପୋଲିସ କହିଛି, କିଛି ଯୁବକ ମଦ୍ୟପାନ କରି ବେପରୁଆ ଭାବେ ବାଇକ୍ ଚଳାଇବା ସହ ଉଚ୍ଚ ଶବ୍ଦ କରି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିଲେ। ବିଶେଷକରି ସ୍କୁଲ୍, କଲେଜ୍, ହସ୍ପିଟାଲ୍ ଓ ଆବାସିକ ଅଞ୍ଚଳରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଥିଲା।
ପୋଲିସ ପକ୍ଷରୁ ସତର୍କ କରାଯାଇଛି ଯେ, ଶବ୍ଦ ପ୍ରଦୂଷଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ।



