Breaking PLUSଓଡ଼ିଶାମୁଖ୍ୟ ଖବର

“ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ

୫୫୫ ପୋଲିସ ଥାନାରେ ଅଂଶଗ୍ରହଣ କଲେ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ

ଭୁବନେଶ୍ଵର- ଆଜି ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ “JUVENTICA” ମାଧ୍ୟମରେ ଓଡ଼ିଶା ପୋଲିସ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ ସହଜ, ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୫୫ ପୋଲିସ ଥାନାର ପ୍ରାୟ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ ଅଂଶଗ୍ରହଣ କରିଥିଲେ। Advika Clubs ର କିଶୋର-କିଶୋରୀମାନଙ୍କ ସହ Anganwadi Workers ଓ Para Legal Volunteers ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ବର୍ତ୍ତମାନ ସମୟରେ ବହୁ ସଂଖ୍ୟାରେ କିଶୋର-କିଶୋରୀ ସାମାଜିକ ଗଣମାଧ୍ୟମର ନକରାତ୍ମକ ବିଷୟବସ୍ତୁ ଉପଭୋଗ କରିବାରେ ସମୟ ଅତିବାହିତ କରୁଛନ୍ତି । ସବୁବେଳେ ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ବିଷୟବସ୍ତୁ ଗ୍ରହଣ କରି ଭବିଷ୍ୟତ ଉଜ୍ଵଳ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ବିଭିନ୍ନ ସମୟରେ ସେମାନେ ସାଇବର ଅପରାଧ ସହିତ ସାମାଜିକ ସମସ୍ୟାର ଶିକାର ହୋଇ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ନୈତିକ ଶିକ୍ଷା ଦେବା ସହ ସେମାନଙ୍କ କଥାକୁ ଧ୍ୟାନର ସହ ଶୁଣି ସଠିକ୍ ପରାମର୍ଶ ଓ ନୈତିକ ସମର୍ଥନ ପ୍ରଦାନ କରିବା ମଧ୍ୟ ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ।

ସେ ଆହୁରି କହିଥିଲେ ଯେ, ଏହି ପ୍ରୟାସ ଯୁବ ପିଢ଼ି ଓ ପୋଲିସ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ସମସ୍ତ କିଶୋର-କିଶୋରୀମାନଙ୍କୁ ନିର୍ଭୟରେ ପୋଲିସ ସହ ଯୋଗାଯୋଗ କରି ନିଜ ସମସ୍ୟା ଜଣାଇବାକୁ ଅନୁରୋଧ କରିଥିଲେ।

ଏହା ବ୍ୟତୀତ କିଶୋର-କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ଓ ମଙ୍ଗଳ ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ପାଇଁ ସମସ୍ତ ପୋଲିସ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସକାରାତ୍ମକ ପରିବେଶ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଡିଜିପି ଆଭାଷୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କିଶୋର-କିଶୋରୀମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଡିଜିପି(କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ କୁମାର ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଶ୍ରୀମତୀ ଏସ. ସାଇନିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Show More

Related Articles

Back to top button