
ଦୀର୍ଘ ୪ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ଭୋଳା ବାବାଙ୍କୁ ଦର୍ଶନ କରୁଛନ୍ତି। ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟରୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।
ତେବେ ମନ୍ଦିର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତାହାସହ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ଯକ୍ତି ମନ୍ଦିର ନଯିବା ପାଇଁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ମହାମାରୀ କରୋନା ଭୟଭୟତାକୁ ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ହେଲେ ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ଯର ସମସ୍ତ ଧର୍ମାଷ୍ଟାନକୁ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ହେଲେ ପବିତ୍ର ଶ୍ରାବଣୀ ଜଳାଭିଷେକ ନୀତି ରହିଥିବାରୁ ମନ୍ଦିର ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା।