ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପର୍ଥରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ରିକି ପଣ୍ଟିଂ କମେଣ୍ଟ୍ରି କରୁଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ରିକି ପଣ୍ଟିଂ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ପଣ୍ଟିଂଙ୍କ ସହଯୋଗୀମାନେ ଏବେ ତାଙ୍କ ଦେହ ସୁସ୍ଥ ଥିବା କହିଛନ୍ତି। ତାଙ୍କୁ ହୃଦଘାତ ହୋଇଥିବା ଆଶଙ୍କା କରାଯାଉଛି।
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ଉଭୟ ୱାନଡେ ଏବଂ ଟେଷ୍ଟରେ ରେକର୍ଡ଼ସ୍ତରୀୟ ରନ୍ କରିବାରେ ଗୌରବ ଅର୍ଜନ କରିଛନ୍ତି। ଟେଷ୍ଟରେ ୧୩,୩୭୮ ଏବଂ ୱାନଡେରେ ୧୩,୭୦୪ ରନ୍ ହାସଲ କରିବାରେ ସେ ବିଶ୍ୱରେ ଜଣେ ଧୂଆଁଧାର ବ୍ୟାଟସ୍ମ୍ୟାନ ଭାବେ ଜଣାଶୁଣା। ୧୯୯୫ରୁ ୨୦୧୨ ପର୍ଯ୍ୟନ୍ତ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ସ୍ୱର୍ଣ୍ଣିମ ଅଧ୍ୟାୟ ରହିଛି।
୨୦୧୨ରେ ପଣ୍ଟିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେଳେ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ୭୭ ଟି ଟେଷ୍ଟ ଖେଳିଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୪୮ଟି ଜିତିଛି। ବର୍ତ୍ତମାନ ସେ ଆଇପିଏଲ ଲିଗ୍ରେ ଦିଲ୍ଲୀ ଟିମ ତରଫରୁ ମୁଖ୍ୟ କୋଚ୍ ଅଛନ୍ତି।