
ଥିରୁଅନନ୍ତପୁରମ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଆଜି ସକାଳୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବାକୁ ସୋଶିଆଲ ମିଡିଆରେ ଦାବି ତେଜିବାରେ ଲାଗିଛି। ସୋଶିଆଲ ମିଡିଆ ବ୍ୟବହାରକାରୀ #ArrestKohli ଲେଖି ନିଜର ମତ ରଖିବାରେ ଲାଗିଛନ୍ତି। ହେଲେ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଭଲ ବ୍ୟାଟର କିଏ? ଏହାକୁ ନେଇ ଦୁଇ ବନ୍ଧୁକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ମଦ ନିଶାରେ ରୋହିତଙ୍କ ସମର୍ଥକ ଓ ବିରାଟଙ୍କ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା। ଶେଷରେ ରୋହିତଙ୍କ ସମର୍ଥକଙ୍କୁ ବିରାଟଙ୍କ ଫ୍ୟାନ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ତାମିଲନାଡୁରୁ ଘଟିଥିବା ଏହି ଘଟଣାରେ ପୁଲିସ୍ ନିଜକୁ ବିରାଟଙ୍କ ସମର୍ଥକ କହୁଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ସେ ଗିରଫ ହେବା ପରେ #ArrestKohli ଟ୍ରେଣ୍ଡ ଆରମ୍ଭ ହୋଇଛି। ତାମିଲନାଡୁର କୀଲାପାଲୁର ପୁଲିସ୍ କହିଛି ଯେ ଏସ୍ ଧର୍ମରାଜ ନାମକ ଜଣେ ଯୁବକ ତାଙ୍କ ବନ୍ଧୁ ପି ବିଗ୍ନେଶଙ୍କୁ ହତ୍ୟା କରିଛନ୍ତି। ଉଭୟ ଆରିୟାଲୁର ଜିଲ୍ଲାର ପୋୟୁର ଗାଁରେ ରୁହନ୍ତି। ଉଭୟ ମଙ୍ଗଳବାର ଏକାଠି ମଦ ପିଇଥିଲେ। ଏହାପରେ କ୍ରିକେଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବିଗ୍ନେଶ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରୁଥିବା ବେଳେ ଧର୍ମରାଜ ଆରସିବି ସମର୍ଥକ। ମଦ ପିଇ ଉଭୟ କଥାବାର୍ତ୍ତା କରୁଥିବା ବେଳେ ବିଗ୍ନେଶ ଆରସିବି ବିରାଟ କୋହଲିଙ୍କୁ ତାଚ୍ଛଲ୍ୟ କରିଥିଲେ। ଏହାକୁ ଧର୍ମରାଜ ବିରୋଧ କରିଥିଲେ। ଶେଷରେ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଏଥିରେ ରାଗି ଯାଇ ଧର୍ମରାଜ ଗୋଟିଏ ବୋତଲ ଓ ବ୍ୟାଟ ଦ୍ୱାରା ବିଗ୍ନେଶଙ୍କୁ ଆକ୍ରମଣ କରିଥିଲେ। ଏବଂ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।