୫୮ କୋଟି ଟଙ୍କା ବ୍ୟାଙ୍କ ଠକେଇ: ମୁମ୍ବାଇରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ୫୮.୪୮ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଗୁରୁବାର ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଏହି ମାମଲାରେ ଆଭାୟା ଇଣ୍ଡଷ୍ଟ୍ରିଜ୍ ଏବଂ ଏହାର ନିର୍ଦ୍ଦେଶକମାନେ ଅଭିଯୁକ୍ତ ଅଛନ୍ତି। ଚଢ଼ାଉ ସମୟରେ ତଦନ୍ତ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରାଯାଇଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁମ୍ବାଇ ଶାଖା ପକ୍ଷରୁ ଦାଖଲ ଅଭିଯୋଗ ଆଧାରରେ ସିବିଆଇ ଏହି ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଆଭାୟା ଇଣ୍ଡଷ୍ଟ୍ରିଜ୍ ଓ ଏହାର ନିର୍ଦ୍ଦେଶକମାନେ ଭୁଲ୍ ତଥ୍ୟ ଦେଇ ବ୍ୟାଙ୍କରୁ ଋଣ ସୁବିଧା ହାସଲ କରିଥିଲେ। ଏହାଦ୍ୱାରା ବ୍ୟାଙ୍କର ୫୮.୪୮ କୋଟି ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ସିବିଆଇର କହିବା ଅନୁଯାୟୀ, ଜାଲ୍ ବିକ୍ରି ଦେଖାଇବା, ଷ୍ଟକ୍ର ମୂଲ୍ୟ ବଢ଼ାଇ ଦର୍ଶାଇବା, ରପ୍ତାନି ବାବଦ ପ୍ରାପ୍ୟ ଲୁଚାଇବା ଓ ଆଦାୟ ନ କରିବା ଭଳି ଉପାୟରେ ଠକେଇ କରାଯାଇଥିବା ସନ୍ଦେହ ରହିଛି। ଏହାସହ ବିନା ସୁରକ୍ଷାରେ ଅଗ୍ରିମ ଦେଇ ଅର୍ଥ ସ୍ଥାନାନ୍ତର, ଋଣଗ୍ରହୀତାଙ୍କ ବକେୟା ରାଶିରେ ଜାଲିଆତି ଏବଂ ବନ୍ଧକ ସମ୍ପତ୍ତି ସମ୍ପର୍କରେ ଅନିୟମିତତା ଅଭିଯୋଗ ମଧ୍ୟ ରହିଛି।
ମୁମ୍ବାଇରେ କମ୍ପାନୀର ନିର୍ଦ୍ଦେଶକଙ୍କ ସହ ଜଡ଼ିତ ଆବାସିକ ସ୍ଥାନଗୁଡ଼ିକରେ ଚଢ଼ାଉ କରାଯାଇଥିଲା। ଜବତ ଦସ୍ତାବିଜ୍ଗୁଡ଼ିକୁ ଯାଞ୍ଚ କରାଯାଉଥିବାବେଳେ ଠକେଇ, ଅର୍ଥ ହଡ଼ପ ଓ ଅର୍ଥ ସ୍ଥାନାନ୍ତରରେ କେଉଁମାନଙ୍କ ଭୂମିକା ରହିଛି, ତାହା ତଦନ୍ତ କରୁଛି ସିବିଆଇ।
ଅନ୍ୟ ଏକ ମାମଲାରେ, ପାଞ୍ଚଟି ବ୍ୟାଙ୍କ ସହ ୨୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚନ୍ଦ୍ରା ପ୍ରୋଟେକୋ ଲିମିଟେଡ୍ ଓ ଏହାର ଅଧିକାରୀଙ୍କ ବିରୋଧରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଛି। କମ୍ପାନୀର ନିର୍ଦ୍ଦେଶକ ରଣଜିତ୍ ଗୁପ୍ତା, ଅନିଲେଶ ଗୁପ୍ତା ଓ ଅପର୍ଣ୍ଣା ଗୁପ୍ତାଙ୍କ ନାମ ଏଥିରେ ରହିଛି। ଠକେଇ ପାଇଁ ଅପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଅଭିଯୋଗ ଆଣିଛି ସିବିଆଇ।



