ୟୁକ୍ରେନ ଦ୍ୱାରା ନିର୍ମିତ ଏଏନ୍-୨୨୫ ‘ମ୍ରିୟା’କୁ ନଷ୍ଟ କଲା ଋଷ ସେନା
ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା ଟ୍ୱିଟ୍ କରି ଦେଲେ ସୂଚନା
କିଭ୍: ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ସବୁଠାରୁ ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଛି। ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ଗତକାଲି ଋଷ ସେନାଙ୍କ ଲଗାତାର ବୋମା ବର୍ଷଣ ଯୋଗୁଁ କିଭ୍ ବାହାରେ ଥିବା ‘ହୋସ୍ତୋମେଲ୍ ବିମାନ ବନ୍ଦର’ରେ ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ଏଏନ୍-୨୨୫ ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି । ଏହି ବୃହତ୍ତକାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍’ ନିର୍ମାଣ କରିଥିଲା
ଧ୍ୱଂସ ପାଇଥିବା ବିମାନ ପାଇଁ ଶୋକ ପ୍ରକଟ କରି ୟୁକ୍ରେନ୍ର ସରକାରୀ ଟ୍ୱିଟର ହ୍ୟାଣ୍ଡଲ୍ରେ ଲେଖାଯାଇଛି: ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ୱପ୍ନ) କିଏଭ୍ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ଋଷ ସେନା ଧ୍ୱଂସ କରିଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ । ଶକ୍ତିଶାଳୀ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ। ଅନ୍ୟପକ୍ଷରେ ବିମାନର ନିର୍ମାଣକାରୀ କମ୍ପାନୀ ଟ୍ୱିଟ୍ କରି କହିଛି: ‘ଏଏନ୍-୨୨୫’କୁ ବିଶେଷଜ୍ଞମାନେ ଯାଞ୍ଚ ନ କରିବା ପର୍ୟ୍ୟନ୍ତ ତା’ର ବୈଷୟିକ ଅବସ୍ଥା ସଂକ୍ରାନ୍ତରେ ଆମେ କୌଣସି ରିପୋର୍ଟ ଦେଇ ପାରିବୁ ନାହିଁ। ପରବର୍ତ୍ତୀ ଔପଚାରିକ ଘୋଷଣା ପର୍ୟ୍ୟନ୍ତ ପ୍ରତୀକ୍ଷା କରନ୍ତୁ।