Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରସିଦ୍ଧ ବଏଲ ଯାତ୍ରା ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁରର ଉପଲକଣ୍ଠସ୍ଥ ତାଲବ ଗ୍ରାମରେ ପ୍ରସିଦ୍ଧ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତାଲବ ଗ୍ରାମର ବଏଲ ଯାତ୍ରାର ବିଶେଷତ୍ୱ ହେଉଛି ଯେ ଏଠାରେ ମାଁ ସମେଲଶ୍ୱରୀ ଦେବୀଙ୍କ ପୂଜା ସମୟରେ କୌଣସି ପଶୁବଳି ଦିଆଯାଏ ନାହିଁ ଏବଂ ଯାତ୍ରା ଉପଲକ୍ଷେ ମାଁଙ୍କ ନିକଟରେ ଜୁଗାର ଭୋଗ ଅର୍ପଣ କରାଯାଇଥାଏ । ଚଳିତ ବର୍ଷ ଦେଢ଼ କୁଇଣ୍ଟାଲ ଧାନରୁ ପ୍ରସ୍ତୁତ ଲିଆ ଓ ଏକ କୁଇଣ୍ଟାଲ ଗୁଡରୁ ନିର୍ମିତ ୧୧ ଫୁଟ ଉଚ୍ଚତା ବିଶିଷ୍ଟ ଜୁଗାର ମାଁଙ୍କୁ ଭୋଗ ରୂପେ ଅର୍ପଣ କରାଯାଇଥିଲା। ଗ୍ରାମର ସମଲେଶ୍ୱରୀ ପୂଜା କମିଟି ତରଫରୁ ଆୟୋଜିତ ଏହି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ବରୁଆ ଆସିଥାଏ। ଏହା ପରେ ପାରମ୍ପରିକ ବାଦ୍ୟ ତାଳରେ ବରୁଆ ସମଗ୍ର ଗ୍ରାମରେ ଭ୍ରମଣ କରିଥାନ୍ତି। ଏହି ସମୟରେ ମାନସିକ ଧାରୀ ଭକ୍ତ ମାନେ ବରୁଆ ଭ୍ରମଣ କରୁଥିବା ରାସ୍ତାରେ ପୂଜାର୍ଚ୍ଚନା ପାଇଁ ପୂଜା ସାମଗ୍ରୀ ଧରି ଅପେକ୍ଷା କରିଥାନ୍ତି। ଶତାଧିକ ବର୍ଷ ପୁରାତନ ଏହି ଐତିହାସିକ ବଏଲ ଯାତ୍ରା ସମୟରେ ପୂର୍ବରୁ ମାନସିକ ରଖିଥିବା ବ୍ୟକ୍ତି ତାଙ୍କର ମନୋକାମନା ପୂରଣ ହେଲେ ସେମାନେ ପଶୁବଳି ବଦଳରେ ଜୁଗାର ଆଣି ମାଁଙ୍କୁ ଅର୍ପଣ କରି କୃତଜ୍ଞତା ଅର୍ପଣ କରିଥାନ୍ତି । ବର୍ଷକୁ ଥରେ ଆୟୋଜିତ ହେଉଥିବା ଏହି ବଏଲ ଯାତ୍ରାରେ ଆଖାପାଖ ଗ୍ରାମର ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ସାଧାରଣତଃ ବଏଲ ଯାତ୍ରା କହିଲେ ପଶୁବଳି କୁ ବୁଝାଯାଉଥିବା ବେଳେ ତାଲବ ଗ୍ରାମର ବଏଲ ଯାତ୍ରାରେ ଲିଆ ଓ ଗୁଡରୁ ନିର୍ମିତ ଜୁଗାର ମାଁ ଙ୍କୁ ଅର୍ପଣ କରାଯାଉଥିବାରୁ ଶତାଧିକ ବର୍ଷ ହେବ ଏହା ଏକ ଅନନ୍ୟ ପରମ୍ପରା ସୃଷ୍ଟି କରି ଆସୁଛି।

Show More

Related Articles

Back to top button