Breaking PLUSଓଡ଼ିଶାମୁଖ୍ୟ ଖବର

କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, 31 ଅକ୍ଟୋବର – ଆଜି ପୂର୍ବାହ୍ନରେ କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାପାଇଁ ଉପସ୍ଥିତ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ପ୍ୟାରେଡରେ ସାମିଲ ହୋଇଥିବା ଯବାନଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ, ଶ୍ରୀ ମିଶ୍ର ଶପଥ ପାଠ କରାଇଥିଲେ । ଏହା ସହ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହ ତାଙ୍କ କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ସ୍ଵାଧୀନତା ପରେ 562ଟି ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା l ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ l
ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତାର ମନୋଭାବ ନେଇ କାର୍ଯ୍ୟ କରିବା ସହ ଭାରତର ଇତିହାସ ପାଇଁ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ଵାନ ଦେଇଥିଲେ । ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ, ଅପରାଧ ଦମନ ଓ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାକୁ ଶ୍ରୀ ମିଶ୍ର ଗୁରୁତ୍ଵାରୋପ କରିଥିଲେ l
ଏହି ଅବସରରେ ଓଡିଶା ପୋଲିସର 34 ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହ ସମାଜର ସମସ୍ତ ବ୍ୟକ୍ତି ବିଶେଷଙ୍କୁ ନେଇ ଏକତା ପାଇଁ ଦୌଡ଼, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ।
ଆଜିର ସମ୍ମିଳିତ ପ୍ୟାରେଡରେ ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ତୃତୀୟ ଆଇ. ଆର. ବାଟାଲିୟନ, ପୋଲିସ କଲର ପାର୍ଟି (କଟକ), ବ୍ରାସବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ l ଶ୍ରୀ ୟାକୁବ ଖାନ ତୃତୀୟ ଆଇ. ଆର. ବାଟାଲିୟନ ପ୍ୟାରେଡର ନେତୃତ୍ଵ ନେଇଥିଲେ l

Show More

Related Articles

Back to top button