
ଏହି ରିପୋର୍ଟ ଆଧାରରେ କରୋନା ଦ୍ୱିତୀୟ ଲହର ଦେଶରେ ଅନୁନ୍ୟ ୧୦୦ ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ଓ ଏପ୍ରିଲ-ମେ ଏହାର ଚରମ ପର୍ଯ୍ୟୟ ହୋଇପାରେ ବୋଲି ଆକଳନ କରାଯାଇଛି।ଫେବୃଆରୀ ୧୫ ପରଠାରୁ ଦୈନିକ ସଂକ୍ରମଣ ହାର ବଢୁଥିବାର ଦେଖାଯାଇଛି। ଯଦି ଏହାକୁ ପ୍ରାରମ୍ଭିକ ସମୟ ଧରାଯାଏ ତେବେ ମେ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ ବୋଲି କୁହାଯାଇଛି। ଏଣୁ ଏପ୍ରିଲ ଓ ମେ ମାସ କରୋନା ସଂକ୍ରମଣର ପିକ୍ ଟାଇମ ହୋଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି। ସେହି ଅନୁସାରେ ଦୁଇ ମାସ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଲାଗି କୁହାଯାଇଛି।ଗୁରୁବାର ଗୋଟିଏ ଦିନରେ ସାରା ଦେଶରେ ୫୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬ ନଭେମ୍ବର ୨୦୨୦ ପରେ ଏହା ଦ୍ୱିତୀୟ ସର୍ବାଧିକ ସଂଖ୍ୟା। ବୁଧବାର ଦେଶରେ ୫୩ ହଜାର ୪୭୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଏଥିରୁ କେବଳ ମହାରାଷ୍ଟ୍ରରେ ୩୧ ହଜାର ୮୫୫ ନୂଆ ସଂକ୍ରମିତ ଚିହ୍ନଟ ହେବା ରାଜ୍ୟ ପାଇଁ କରୋନା ସଂକ୍ରମଣର ଏକ ନୂଆ ଉଚ୍ଚତା ବୋଲି କୁହାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭାରତରେ ପ୍ରଥମ ଥର ଡବଲ ମ୍ୟୁଟାଣ୍ଟ କରୋନା ଭାରିଏଣ୍ଟ ଚିହ୍ନଟ ହୋଇଥିବା କହିଛନ୍ତି। ଏହାକୁ (E484Q + L452R) ନାମରେ ନାମିତ କରାଯାଇଥିବା ବେଳେ କରୋନା ନୂଆ ପ୍ରକାରରେ ଏପର୍ଯ୍ୟନ୍ତ ୨୦୬ ଜଣ ଆକ୍ରାନ୍ତ ହୋଇଥିବା ମନ୍ତ୍ରାଳୟଙ୍କ ସୂଚନାରୁ ଜଣାପଡିଛି। ତେବେ ବିଭିନ୍ନ ରାଜ୍ୟରେ ବଢୁଥିବା ସଂକ୍ରମଣ ସହ ନୂଆପ୍ରକାର ଭୂତାଣୁର କୌଣସି ସମ୍ପର୍କ ନଥିବା କେନ୍ଦ୍ର ମନ୍ତ୍ରାଳୟ କହିଛନ୍ତି।