ଭିଜିଲାନ୍ସ ଜାଲରେ ବରିଷ୍ଠ ରେଭିନ୍ୟୁ ଆସିଷ୍ଟାଣ୍ଟ
ଭୁବନେଶ୍ୱର, 21 ଫେବୃଆରୀ – ଲାଂଚ ହେଲା କାଳ । ଲାଂଚ ନେବା ବେଳେ ଧରାପଡିଛନ୍ତି ବଲାଙ୍ଗିର ଜିଲ୍ଲାର ମୁରିବାହାର ତହସିଲର ବରିଷ୍ଠ ରେଭିନ୍ୟୁ ଆସିଷ୍ଟାଣ୍ଟ ତଥା ରେକର୍ଡ କିପର ହେବଲେତ ବାର୍ଲା । ଏକ ଜମିଜମା ମାମଲାରେ ପଟ୍ଟା ଇସ୍ୟୁ କରିବା ପାଇଁ ସେ ଆବେଦନକାରୀଙ୍କୁ 20ହଜାର ଲାଂଚ ମାଗିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 10ହଜାର ଟଙ୍କା ଲାଂଚ ନେଉଥିଲେ । 2019 ମସିହାରେ ଏହି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଆବେଦନକାରୀ ବାର୍ଲାଙ୍କୁ ତାଙ୍କର ମ୍ୟୁଟେସନ୍ କେସ୍ ପ୍ରକ୍ରିୟାକରଣ ପାଇଁ ଦୀର୍ଘ ଦିନ ଧରି ଅନୁରୋଧ କରିଆସୁଥିଲେ। କିନ୍ତୁ ବାର୍ଲା ଏହି କାମ କରିବାକୁ ମନା କରିବା ସହ 20ହଜାର ଟଙ୍କା ଲାଂଚ ମାଗୁଥିଲେ । ବାର୍ଲାଙ୍କ ନିକଟରୁ ନିରାଶ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ବାର୍ଲା ଲାଂଚ ନେଉଥିବା ବେଳେ ଅଧିକାରୀମାନେ ତାଙ୍କୁ ମାଡିବସିଥିଲେ । ତାଙ୍କ ଠାରୁ ଲାଂଚ ଟଙ୍କା ଉଦ୍ଧାର ଓ ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବାର୍ଲାଙ୍କ ସହ ଜଡିତ 2ଟି ସ୍ଥାନରେ ଚଢାଉ କରାଯାଇଛି । ସମ୍ବଉଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।